ସନାତନ ଧର୍ମକୁ ମ୍ୟାଲେରିଆ ସହ ତୁଳନା କରି ଫସିଲେ ଉଦୟନିଧି ଷ୍ଟାଲିନ୍

ନୂଆଦିଲ୍ଲୀ: ତାମିଲନାଡୁ ସରକାରରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମକୁ ନେଇ ବୟାନ ବିବାଦୀୟ ହେବାରେ ଲାଗିଛି । ଏକ ସଭାକୁ ସମ୍ବୋଧିତ କରିବା ସମୟରେ ଡିଏମକେ ନେତା ଉଦୟନିଧି ସନାତନ ଧର୍ମକୁ ମ୍ୟାଲେରିଆ ଓ ଡଙ୍ଗୁ ସହ ତୁଳନା କରିଥିଲେ । ଯାହାକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଉଦୟନିଧି । ତାଙ୍କ ବୟାନକୁ ନେଇ ଥାନାରେ ଏତଲା ମଧ୍ୟ ହୋଇଛି । ଏପରିକି ବିଜେପି ଏହାକୁ ଇଣ୍ଡିଆ ମେଣ୍ଟ ସହ ଯୋଡ଼ିବା ସହ ଏହା କଂଗ୍ରେସର ହିନ୍ଦୁ ବିରୋଧୀ ମନୋଭାବ ବୋଲି କହି ଆକ୍ଷେପ କରିଛି ।

ସୁପ୍ରିମକୋର୍ଟ ଓକିଲ ତଥା ସମାଜିକ କର୍ମୀ ବିନିତ ଜିନ୍ଦଲ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସନାତନ ଧର୍ମ ବିରୋଧରେ ଉତ୍ତେଜକ ଭାଷଣ ଦେବା ଓ ମାନହାନୀ କରିବା ଭଳି ବୟାନ ଦେବା ପ୍ରତିବାଦରେ ଦିଲ୍ଲୀ ପୋଲିସ ପାଖରେ ଏତଲା ଦେଇଛନ୍ତି । ଏହାସହ ହିନ୍ଦୁ ସେନା ପକ୍ଷରୁ ମଧ୍ୟ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଦିଲ୍ଲୀରେ ଏତଲା ଦିଆଯାଇଛି ।

କ’ଣ କହିଥିଲେ ଉଦୟନିଧି ?

ଉଦୟନିଧି ନିଜ ଭାଷଣରେ ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିଥିଲେ । ସେ କହିଥିଲେ, ‘ସନାତନକୁ କେବଳ ବିରୋଧ କରା ନଯାଇ ତାହାକୁ ଶେଷ କରିଦିଆ ଦରକାର ।’

ଅଭିଯୋଗ ଅନୁସାରେ ସନାତନ ବିଲୟ ସମ୍ମିଳନୀରେ ମନ୍ତବ୍ୟ ଦେଇ ଉଦୟନିଧି କହିଥିଲେ, ‘ସନାତନ ନାଁ ସଂସ୍କୃତରୁ ଆସିଛି । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାତନାର ବିରୋଧୀ । କିଛି ଜିନିଷର ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଶେଷ କରିଦିଆଯିବା ଉଚିତ । ଆମେ ଡେଙ୍ଗୁ, ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବା ନାହିଁ । ଆମକୁ ଏହାକୁ ଶେଷ କରିବାକୁ ପଡ଼ିବ । ସେହିପରି ଆମକୁ ସନାତନ ଧର୍ମକୁ ଶେଷ କରିବାକୁ ପଡ଼ିବ ।’

ଦେଶର ୮୦ ପ୍ରତିଶତ ଲୋକଙ୍କ ନରସଂହାର ପାଇଁ ଆହ୍ବାନ !

ଉଦୟନିଧିଙ୍କ ବୟାନକୁ ନେଇ ବିଜେପି ଟାର୍ଗେଟ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଅ ଉଦୟନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଛନ୍ତି । ତାଙ୍କ ମତରେ ଏହାକୁ ବିରୋଧ କରାଯାଇ ପାରିବନି, ଶେଷ କରିବାକୁ ପଡ଼ିବ । ପରୋକ୍ଷରେ ସେ ସନାତନ ଧର୍ମକୁ ମାନୁଥିବା ଦେଶର ୮୦ ପ୍ରତିଶତ ଲୋକଙ୍କ ନରସଂହାର ପାଇଁ ଆହ୍ବାନ ଦେଇଛନ୍ତି । ଡିଏମକେ ବିରୋଧୀ ମେଣ୍ଟର ଏକ ପ୍ରମୁଖ ଅଂଶ ଓ କଂଗ୍ରେସର ଦୀର୍ଘକାଳୀନ ସହଯୋଗୀ । କ’ଣ ମୁମ୍ବାଇ ବୈଠକରେ ଏହାକୁ ନେଇ ସହମତି ହୋଇଥିଲା ?’

ସୋସିଆଲ ମିଡିଆରେ ଅମିତ ମାଲଭିଅ ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛନ୍ତି ଉଦୟନିଧି । ସେ କହିଛନ୍ତି, ମୁଁ ସନାତନ ଧର୍ମକୁ ମାନୁଥିବା ଲୋକଙ୍କ ନରସଂହାର କରିବାକୁ ଆହ୍ବାନ ଦେଇନାହିଁ । ସନାତନ ଧର୍ମ ପାଇଁ ନିର୍ଯାତିତ ହେଉଥିବା ଦଳିତ ସମ୍ପ୍ରଦାୟଙ୍କ ପାଇଁ କହିଛି । ଆଗକୁ ସେ କହିଛନ୍ତି, ‘ମୋ ମନ୍ତବ୍ୟକୁ ନେଇ ମୁଁ ଯେକୌଣସି ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ଡିଏମକେ ସରକାର ଏମକେ ଷ୍ଟାଲିନଙ୍କ ନେତୃତ୍ବରେ ସାମାଜିକ ନ୍ୟାୟ ସନ୍ତୁଳିତ ରଖିବାକୁ ଓ ସମାନତାବାଦୀ ସମାଜ ସ୍ଥାପନ କରିବାକୁ ସଂଘର୍ଷ ଜାରି ରଖିଛି ।’