ବିରେନ୍-ପ୍ରମୋଦ-ଧାମିଙ୍କ ଉପରେ ପୁନର୍ବାର ବିଜେପିର ଭରସା
ନନ୍ଦିଘୋଷ ବ୍ୟୁରୋ: ୫ ରାଜ୍ୟରୁ ୪ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଜେପି । ସରକାର ଗଢିବାକୁ ସମର୍ଥ ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବେ ତାହା ଥିଲା ବିଜେପି ପାଇଁ ବଡ଼ ପ୍ରକ୍ରିୟା । ଏବେ ସବୁ ସସପେନସରେ ପୂର୍ଣ୍ଣଛେଦ ପଡ଼ିଛି । ମଣିପୁରରେ ମୁଖ୍ୟମନ୍ତ୍ରୀ ଭବେ ଶପଥ ନେଇଛନ୍ତି ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଏନ.ବିରେନ ସିଂ । ମଣିପୁରରେ ବିରେନ ସିଂ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଷିକ୍ତ ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡରେ ଯଦି ବା ବିଜେପି ସରକାର ଗଢିବା ପାଇଁ ଆବଶ୍ୟକ ଆସନରେ ବାଜିମାତତ କରିଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିବା ପୁଷ୍କର ସିଂ ଧାମି ପରାସ୍ତ ହୋଇଥିଲେ । ଫଳରେ ପାହାଡ଼ୀ ରାଜ୍ୟରେ ବିଜେପି ନୂଆ ଚେହେରାକୁ ସୁଯୋଗ ଦେବ ବୋଲି ଚର୍ଚ୍ଚା ହେଉଥିଲା ।
ଉତ୍ତରାଖଣ୍ଡ ଚର୍ଚ୍ଚାରେ ମଧ୍ୟ ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ପୁନର୍ବାର ଗାଦିସୀନ ହେବେ ବୋଲି ଦଳ ପକ୍ଷରୁ ଘୋଷଣା ହୋଇଛି । ଗତ ବିଧାନସଭା ନିର୍ବାଚନରେ ଖଟିମା ଆସନରୁ ପରାଜିତ ପୁଷ୍କର ପୁଣି ଥରେ ହେବେ ସିଏମ । ଏହି ନିଷ୍ପତ୍ତି ନେଇଛନ୍ତି ହାଇକମାଣ୍ଡ । ଡେରାଡୁନରେ ଆୟୋଜିତ ବିଧାୟକ ଦଳ ବୈଠକରେ ପୁଷ୍କରଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବା ଲାଗି ନିଆଯାଇଛି ନିଷ୍ପତ୍ତି । ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଦଳର ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖି ଉପସ୍ଥିତ ଥିଲେ । ୨୦୧୨ ଓ ୨୦୧୭ରେ ବିଧାୟକ ଭାବେ ନିର୍ବାଚିତ ପୁଷ୍କର ଚଳିତ ନିର୍ବାଚନରେ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୬ ହଜାର ୫୦୦ରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ ।
ସେପଟେ ଗୋଆରେ ପୁନର୍ବାର ଯୁବ ଚେହେରା ପ୍ରମୋଦ ସାଓ୍ୱନ୍ତ ମୁଖ୍ୟମନ୍ତ୍ରୀ ରହିବେ । ହାଇକମାଣ୍ଡଙ୍କ ଗ୍ରୀନ ସିଗନାଲ ପରେ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ପ୍ରମୋଦ । ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସମ୍ଭାଳିଥିଲେ କମାଣ । ଗୋଆରେ ବିଜେପିର ଭରସା ଭାଜନ ହେବା ସହ ଦଳକୁ ଆଗକୁ ନେବାରେ ଏବଂ କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାରେ ସଫଳ ହୋଇଛନ୍ତି । ଗୋଆରେ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି ପ୍ରମୋଦ । ହାଇକମାଣ୍ଡଙ୍କ ସିଗନାଲ ପରେ ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଭାବେ ଦଳ ତାଙ୍କୁ ଚୟନ କରିଛି । ସେପଟେ ଚଳିତ ବିଧାନସଭା ନିର୍ବାଚନ ପରେ ପ୍ରଥମକରି ମଣିପୁରରେ ସରକାରର ଦ୍ୱିତୀୟ ପାଳି ଆରମ୍ଭ କରିଛି ବିଜେପି ।