ମଦ ମାଫିଆ ସମ୍ପର୍କୀୟଙ୍କ ସହ ବିଜେପି ସାଂସଦଙ୍କ କି ସମ୍ପର୍କ?

ଭୁବନେଶ୍ବର: କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ଟଙ୍କାକୁ ନେଇ ସାରା ଦେଶରେ ରାଜନୀତି ଜୋର । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କଂଗ୍ରେସକୁ ଟାର୍ଗେଟ କରିବା ପରେ ଜଣକ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତା କଂଗ୍ରେସ ନେତାଙ୍କ କଳା ଟଙ୍କାକୁ ନେଇ ସମାଲୋଚନାର ବର୍ଷା କରିଛନ୍ତି । କିନ୍ତୁ ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ହୀନ ରାଜନୀତି କରୁଛି, ଅଯଥାରେ କୌଣସି କାରଣ ନଥାଇ ଏହା ଭିତରକୁ ବିଜେଡିକୁ ଟାଣିବାକୁ ଚେଷ୍ଟା କରୁଛି । ଏକ ସାମାଜିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ । ସେହି ଫଟୋ ଦେଖାଇ ଟୁକୁନିଙ୍କ ସହ ମଦ ବ୍ୟବସାୟୀଙ୍କ ସହ ସମ୍ପୃକ୍ତି ଅଛି ବୋଲି କହି ଅତି ତଳସ୍ତରର ରାଜନୀତି କରୁଛି ରାଜ୍ୟ ବିଜେପି ।

ବିଡେଡିକୁ ଦୋଷ ଦେଉଥିବା ବିଜେପି ସାଂସଦଙ୍କ ମଦ ମାଫିଆଙ୍କ କ’ଣ ସମ୍ପର୍କ ରହିଛି ତାକୁ ନେଇ ଏବେ ସାଧାରଣ ଲୋକେ ଉଠାଇଛନ୍ତି ପ୍ରଶ୍ନ । ବିଜେପି ନେତ୍ରୀ ତଥା ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ । ତାଙ୍କ ଚାରିପଟେ ବସିଥିବା ମହିଳାଙ୍କ ଭିତରେ ଅଛନ୍ତି କୋଟି କୋଟି ଟଙ୍କା ବାହାରୁଥିବା ମଦ ବ୍ୟବସାୟୀଙ୍କ ସମ୍ପର୍କୀୟା । ଯଦି ଟୁକୁନି ସାହୁଙ୍କୁ ଫଟୋକୁ ଦେଖାଇ ମଦ ବ୍ୟବସାୟୀଙ୍କ ସହ ଯୋଡୁଛି ବିଜେପି, ତାହେଲେ ଏହି ଫଟୋକୁ ନେଇ ରାଜ୍ୟ ବିଜେପି ନେତା କଣ ପ୍ରତିକ୍ରିୟା ରଖିବେ । ସଙ୍ଗିତା ସିଂଦେଓଙ୍କ ସହ ମଦ ବ୍ୟବସାୟୀଙ୍କ ସମ୍ପୃକ୍ତି ଅଛି କି  । ରାଜ୍ୟ ବିଜେପି ଏହି ଫଟୋକୁ ଦେଖାଇ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବ କି ।

ସଙ୍ଗିତା ସିଂଦେଓଙ୍କ ଚାରିପଟେ ବସିଥିବା ମହିଳା ମାନେ ହେଉଛନ୍ତି ବିଜେପିର ଟିଟିଲାଗଡ ଏନଏସି ଅଧ୍ୟକ୍ଷା ମମତା ଦେବୀ ଜୈନ । ତାଙ୍କ ପାଖରେ  ବସିଛନ୍ତି ମଦ ବ୍ୟବସାୟୀ ପ୍ରଭାସ ସାହୁଙ୍କ ଜଣେ ସର୍ମ୍ପକୀୟା । ତା ପାଖକୁ ବସିଛନ୍ତି ପ୍ରଭାସ ସାହୁଙ୍କ ପତ୍ନୀ ବିନ୍ଦୁ ସାହୁ । ପ୍ରଭାସ ସାହୁ ମଧ୍ୟ ଜଣେ ମଦ ବ୍ୟବସାୟୀ ଓ ମହୁଲ ବେପାରୀ । ଏହାପରେ ଯେଉଁ ମହିଳା ଜଣକ ବସିଛନ୍ତି ସେ ହେଉଛନ୍ତି ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀ । ସଞ୍ଜୟ ଓ ଆରତୀ ସାହୁଙ୍କ ଘରେ ଆୟକର ବିଭାଗ ରେଡ କରିଛି । କେବଳ ଏତିକି ନୁହେଁ ମଦ ବ୍ୟବସାୟୀ ଦୀପକ ସାହୁଙ୍କ ସର୍ମ୍ପକୀୟା ହେଉଛନ୍ତି ପ୍ରଭାସ ସାହୁ ଓ ସଞ୍ଜୟ  ସାହୁ । ଆଇଟି ରେଡ କରୁଥିବା ବ୍ୟକ୍ତି ବିଶେଷ ଓ ତାଙ୍କର ସର୍ମ୍ପକୀୟଙ୍କ ସହ ଏକାଠି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ ଓ ବିଜେପି ଏନଏସି ଅଧ୍ୟକ୍ଷା ମମତାଦେବୀ ଜୈନ । ଏଠି ପ୍ରଶ୍ନ ଉଠୁଛି ବିଜେପି ସାଂସଦଙ୍କ ସହ ମଦ ବ୍ୟବସାୟୀଙ୍କ ସମ୍ପର୍କ କଣ  । ତାହା ରାଜ୍ୟ ବିଜେପିର ନେତା ମାନେ ଉତ୍ତର ଦେଇପାରିବେ କି ନା ସଙ୍ଗିତା ସିଂହଦେଉ ସମସ୍ତଙ୍କ ସାମ୍ନାକୁ ଆସି ଏହାର ସଫେଇ ରଖିବାକୁ ପଡ଼ିବ  ।