ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କଲେ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥକ

ଭୁବନେଶ୍ୱର: ସଂକ୍ରମଣ ଯେତିକି ବଢୁଛି, ବିଜେପି ନେତାଙ୍କ ଅମାନିଆପଣ ବି ସେତିକି ବଢୁଛି । ରାଜ୍ୟ ସରକାର ଏପରିକି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ଫୁତ୍କାର ମାରି ଉଡାଇ ଦେଉଛନ୍ତି । ବାରମ୍ବାର ବିଜେପି ନେତାମାନେ କୋଭିଡ ନିୟମର ଉଲ୍ଲଂଘନ କରୁଥିବା ବେଳେ ଏବେ ପୁଣି ଥରେ ସାଂସଦ ଅପରାଜିତାଙ୍କ କର୍ମୀମାନେ ଭୁବନେଶ୍ୱରରେ ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କରିଛନ୍ତି । ଅପରାଜିତାଙ୍କ କର୍ମୀଙ୍କ ଏଭଳି ଆଚରଣକୁ ତାଙ୍କ ଦଳର ବରିଷ୍ଠ ନେତା ଓ ଅନ୍ୟମାନେ ମଧ୍ୟ ସମାଲୋଚନା କରିଛନ୍ତି ।

ସତେ ଯେମିତି ପଣ କରିଛନ୍ତି ରାଜ୍ୟ ବିଜେପି ନେତା । ରାଜ୍ୟବାସୀଙ୍କ ଜୀବନକୁ ବିପଦରେ ପକାଇବାକୁ ଶପଥ ନେଇଛନ୍ତି କି ? ବାରମ୍ବାର କାହିଁକି କୋଭିଡ ନିୟମର କରୁଛନ୍ତି ଉଲ୍ଲଂଘ ? କେତେବେଳେ ରାଜନୀତି ପାଇଁ ତ କେତେବେଳେ ବୃକ୍ଷରୋପଣ ନାଁରେ ହେଉଛି ସାମାଜିକ ଦୂରତାର ଉଲ୍ଲଂଘନ । ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ଅନୁପାଳନ କରୁଥିବା ବେଳେ ଦାୟିତ୍ୱ ସମ୍ପନ୍ନ ନେତାଙ୍କ ଉପରେ ଅନୁଶାସନର କୌଣସି ପ୍ରଭାବ ପଡୁନି ।

ସାଂସଦଙ୍କ ମାର୍ଗକୁ ଅନୁସରଣ କରି ତାଙ୍କ କର୍ମୀମାନେ ନିକଟରେ ଭୁବନେଶ୍ୱର ଉପକଣ୍ଠ ୧୪ ନମ୍ବର ୱାର୍ଡରେ ବୃକ୍ଷରୋପଣ ଆଳରେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭାବେ ଫୁ କରିଦେଇଛନ୍ତି । ଏମାନେ ହେଉଛନ୍ତି ୟୁଥ୍ ଫର୍ ଆକ୍ସନର ସଦସ୍ୟବୃନ୍ଦ । ଯାହାର ମୁଖିଆ ହେଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ନିର୍ଦ୍ଦେଶନା ଓ ସଂଯୋଜନାରେ ୟୁଥ ଫର ଆକ୍ସନ ସଭ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି । ବୃକ୍ଷରୋପଣ ଭଳି ମହତ କାର୍ଯ୍ୟରେ ଥାଇ ଅମାନିଆଙ୍କ ଭଳି ମେଳି କରି ଫଟୋ ଉଠାଇଛନ୍ତି ଏହି ଟିମର ସଦସ୍ୟ । ଆଉ ନିୟମ ଉଲ୍ଲଂଘନର ଏହିସବୁ ଫଟୋ ସେମାନେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିଜେପି କର୍ମୀଙ୍କ ଏଭଳି କାର୍ଯ୍ୟକୁ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ସମାଲୋଚନା କରିଛନ୍ତି । ତାଙ୍କ ଦଳର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଏଭଳି ଖୋଲାଖୋଲି ନିୟମ ଉଲ୍ଲଂଘନକୁ ନାପସନ୍ଦ କରିଛନ୍ତି । କହିଛନ୍ତି, ମହାମାରି ସମୟରେ ଆଇନ ସମସ୍ତଙ୍କ ପାଇଁ ସମାନ ଓ ସମସ୍ତେ ଏହାର ଅନୁପାଳନ କରିବା ଉଚିତ୍ । କରୋନା ପାଇଁ ସମସ୍ତଙ୍କ ଜୀବନ ସଙ୍କଟରେ । ଏଭଳି ସମୟରେ ବିଜେପି ନେତାଙ୍କ ଅମାନିଆ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି । ନେତାମାନେ ଯେଉଁଭଳି କୌଣସି ନିୟମ ମାନିବାକୁ ପ୍ରସ୍ତୁତ ନୁହଁନ୍ତି, କର୍ମୀମାନେ ବି ସେହିଭଳି ବିଶୃଙ୍ଖଳିତ ।

Leave a Reply