ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପି ନେତା

ଜୟପୁର: ବିଜେପି ନେତାଙ୍କ ଦାଦାଗିରି । ଜୟପୁର ବିଦ୍ୟୁତ କାର୍ଯ୍ୟାଳୟରେ ପଶି ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ବିଜେପିର ଜୟପୁର ନିର୍ବାଚନମଣ୍ଡଳୀରୁ ପାର୍ଥୀ ହୋଇଥିବା ନେତା ଗୌତମ ସାମନ୍ତରାୟ । ଏନେଇ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି । ବାଲିଆ ପଞ୍ଚାୟତର ନୂଆଗଡ଼ ଗାଁରେ ଟ୍ରାନ୍ସଫରମର ପୋଡିଯାଇଥିଲା । ଏହି ଅଭିଯୋଗ ନେଇ ଗାଁର ୩୦ ଜଣ ଲୋକ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ ଦାବି କରିଥିଲେ ।

ସେହି ଗାଁରେ ବିଦ୍ୟୁତ ଦେୟ ପାଖାପାଖି ୪ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଏହାର ୨୦ ପ୍ରତିଶତ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ କହିଥିଲେ । କିନ୍ତୁ ଗାଁ ଲୋକେ ଅର୍ଥ ଦେବାକୁ ମନା କରିଥିଲେ । ତୁରନ୍ତ ଟ୍ରାନ୍ସଫରମର ମରାମତି କରିବାକୁ କହିଥିଲେ । ଏହାରି ଭିତରେ ବିଜେପି ନେତା ଗୌତମ ସାମନ୍ତରାୟ ନିର୍ବାହୀ ଯନ୍ତ୍ରୀଙ୍କୁ ଟାଣିଟାଣି ଅଫିସ ବାହାରକୁ ନେଇଯାଇଥିଲେ । ତେବେ ଏ ବିଷୟରେ ପୋଲିସ୍‌କୁ ଜଣାଇଲେ ଗୁଳି କରି ହତ୍ୟା କରିବେ ବୋଲି ଗୌତମ ସାମନ୍ତରାୟ ଧମକ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply