ବିଜେପି ଚାଷୀଙ୍କ ଇନପୁଟ୍ ସବସିଡି ବନ୍ଦ କରିବାକୁ ଚକ୍ରାନ୍ତ କରୁଛି: ବିଜେଡି

ଭୁବନେଶ୍ବର: ବିଜେପିର ଚାଷୀମାରଣ ନୀତି । ଫସଲବୀମା ଅଟକାଇ ଚାଷୀଙ୍କ ସଂସାରକୁ ଦୁର୍ଦ୍ଦିନକୁ ଠେଲିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଇନପୁଟ ସବସିଡିକୁ ବିରୋଧ କରି ସେମାନଙ୍କ କଟା ଘାରେ ଚୂନ ମାରିବାରେ ଲାଗିଛି । ଏହାର ଜବାବ ରାଜ୍ୟର ଚାଷୀ ନିଶ୍ଚିତ ଦେବେ । ଚାଷୀଙ୍କ ପ୍ରତି ଏହି ବୈମାତୃକ ମନୋଭାବ ବିଜେପିକୁ ମହଙ୍ଗା ପଡ଼ିବ । ଆଜି ଏମିତି କିଛି କହି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ ।

ସେ କହିଛନ୍ତି, ବିଜେପି ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ । ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛି । ଯାହା ଓଡିଶାର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଡିଶାର ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସବସିଡି ପ୍ରଦାନ ଭଳି ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବେଳେ ବିଜେପି ଏହାକୁ ପ୍ରଶଂସା କରିବା ପରିବର୍ତ୍ତେ ଏହାକୁ ଚକିତ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି କହିଛି ।’

ବିଜେପି ଗୋଟିଏ ହାତରେ ଫସଲ ବୀମାକୁ ଅଟକାଉ ଥିବାବେଳେ ଅନ୍ୟ ହାତରେ ଇନପୁଟ୍ ସବସିଡି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବିଜେପିର ଚାଷୀ ତଥା ଚାଷ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି ।

ଓଡିଶାର ଚାଷୀ ବିଶେଷ କରି ପଦମପୁରର ଚାଷୀ ଫସଲ ବୀମାକୁ ନେଇ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏମିତି ସ୍ଥିତିରେ ଇନପୁଟ୍ ସବସିଡିକୁ ସମାଲୋଚନା କରୁଥିବା ବିଜେପିକୁ ଚାଷୀ ଭାଇ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।