ଓବିସିଙ୍କ ପାଇଁ ଚିତ୍କାର କରୁଥିବା ବିଜେପି ସରକାରକୁ ଆସିବା ପରେ ତୁଣ୍ଡରେ ପଡ଼ିଛି ତୁଣ୍ଡି

ଭୁବନେଶ୍ବର: ପଦାରେ ପଡିଛି ଓବିସିଙ୍କ ପାଇଁ ବିଜେପିର କୁମ୍ଭୀର କାନ୍ଦଣା । ଓବିସି ଅଧିକାର ପାଇଁ ନିର୍ବାଚନ ପୂର୍ବରୁ ଚିତ୍କାର କରୁଥିଲା ବିଜେପି । ଏବେ ସରକାରକୁ ଆଓି ଶହେ ଦିନ ବିତିଗଲାଣି, ହେଲେ ଆଉ ତୁଣ୍ଡ ଖୋଲିନି । ସେତେକି ବିଜେପି ସରକାର ତୁଣ୍ଡରେ ତୁଣ୍ଡି ପଡ଼ିଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏ ଯାଏଁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନଥିବାରୁ, ଉଭୟ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅବହେଳିତ ହେଉଛନ୍ତି ଓବିସି । ଜାତିଭିତ୍ତିକ ଜନଗଣନା କରିବାରେ ସରକାରଙ୍କ ଉଦାସୀନ ମନୋଭାବ ପଦାରେ ପଡିଛି । ଶହେ ଦିନର ସଫଳତାର ବାହସ୍ଫୋଟ ମାରୁଥିବା ବିଜେପି ସରକାର ଓବିସିଙ୍କ କ୍ଷେତ୍ରରେ କି ଆଭିମୁଖ୍ୟ ନେଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରର ଡବଲ ଧୋକା ବିରୋଧରେ ବିଜେପିକୁ କାଠଗଡ଼ାକୁ ଟାଣିଛି ବିଜେଡି ।

କେଉଁ ମାନେ ଅନ୍ୟାନ୍ୟ ପଛୁଆ ବର୍ଗ ?

ସଂରକ୍ଷଣରେ କେବେ ସାମିଲ ହେବେ ଓବିସି ?

କେବେ ହେବ ଜାତିଭିତ୍ତିକ ଜନଗଣନା ?

ଓବିସିଙ୍କ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିକୁ ବିରୋଧ କରି ଏପରି କିଛି ପ୍ରଶ୍ନ କରିଛି ବିଜେଡି । ସବୁବେଳେ ଓବିସିଙ୍କ ପାଇଁ ଲଢ଼େଇ କରୁଥିଲେ ନବୀନ ପଟ୍ଟନାୟକ । କିପରି ଆବଶ୍ୟକତା ପହଞ୍ଚି ପାରିବ ସେ ନେଇ ସାରା ଦେଶରେ ସୃଷ୍ଟି କରିଥିଲେ ଉଦାହରଣ । କିନ୍ତୁ ରାଜ୍ୟର ବିଜେପି ସରକାର ପଛୁଆ ବର୍ଗଙ୍କ ପାଇଁ କିଛି କରୁ ନଥିବା ଅଭିଯୋଗ କରିଛି ବିଜେଡି ।

ନିର୍ବାଚନ ପୂର୍ବରୁ ଡିଣ୍ଡିମ ପିଟି ବଡ଼ ବଡ଼ କଥା କହୁଥିଲା ବିଜେପି । ହେଲେ ଏବେ ସରକାରର ଅସଲ ଚେହେରା ଦେଖିଲେ ରାଜ୍ୟବାସୀ । କେବଳ ନିର୍ବାଚନୀ ବୈତରଣୀ ପାର ପାଇଁ ଜନତାଙ୍କୁ ଜୁମଲା କରିଥିଲା ବିଜେପି । ଦଳର ଏଭଳି ଚାଲବାଜିକୁ କୁମ୍ଭୀର କାନ୍ଦଣା କହି କଟାକ୍ଷ କରିଛି ବିଜେଡି । ଚାକିରିରେ ୧୧ ଦଶମିକ ୨୫ ପ୍ରତିଶତର ସଂରକ୍ଷଣ ବ୍ୟବସ୍ଥା ଅଛି । ହେଲେ ରାଜ୍ୟରେ ୫୪ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗ ଥିବାରୁ ଚାକିରିରେ ସଂରକ୍ଷଣକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛି ବିଜେଡି । ସେହିପରି ଶିକ୍ଷାରେ ବି ୨୭ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ଜୋର ଧରିଛି ।

ଶେଷ ଥର ୧୯୩୧ରେ ହୋଇଥିଲା ଜାତିଭିତ୍ତିକ ଜନଗଣନା । ତା’ସତ୍ତ୍ବେ ବି କୌଣସି ପଦକ୍ଷେପ ନେଉନାହାନ୍ତି କେନ୍ଦ୍ର ସରକାର । ଏପରିକି ପ୍ରକାଶ କରିପାରୁନାହାନ୍ତି ୨୦୨୧ ଜନଗଣନା ରିପୋର୍ଟ ।