ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ। ସବୁ ବାହାଦୁରି ମାରିଛି ଫ୍ଲପ୍। ୭ ରାଜ୍ଯର ୧୩ ବିଧାନସଭା ଆସନ ଉପନିର୍ବାଚନରେ ଏନଡିଏ ମେଣ୍ଟକୁ ଜବରଦସ୍ତ ଝଟକା। ବାଜିମାରିଛି ଇଣ୍ଡିଆ ମେଣ୍ଟ। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ଯପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ।

ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ବିଜୟ ଲାଭ କରିଛନ୍ତି ଆପ ନେତା ମହୀନ୍ଦର ଭଗତ। ପଶ୍ଚିମବଙ୍ଗର ସମସ୍ତ ୪ଟି ଯାକ ଆସନରେ ଟିଏମସି ବାଜିମାତ କରିଛି। ବାଗଦାରୁ ମଧୁପୂର୍ଣ୍ଣା ଠାକୁର, ରାଣାଘାଟରୁ ମୁକୁତମଣି ଅଧିକାରୀ, ରାଇଗଞ୍ଜରୁ କ୍ରିଷ୍ଣା କଲ୍ଯାଣୀ ବିଜୟୀ ହୋଇଛନ୍ତି। ମାଣିକତାଲା ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ହିମାଚଳ ପ୍ରଦେଶର ଡେରା ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର। ସେ ବିଜେପି ପ୍ରାର୍ଥୀ ହୋସିଆର ସିଂଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନାଳଗଡ଼ରେ କଂଗ୍ରେସର ହରଦୀପ ସିଂ ବାୱା ବିଜୟୀ ହୋଇଛନ୍ତି। ହମିରପୁରରେ ବିଜେପିର ଆଶିଷ ଶର୍ମା କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କୁ ପରାସ୍ତ କରିଛନ୍ତି।

ଉତ୍ତରାଖଣ୍ଡର ମଙ୍ଗଳୁରରୁ କଂଗ୍ରେସର କାଜି ନିଜାମୁଦ୍ଦିନ ବିଜୟୀ ହୋଇଛନ୍ତି।  ବଦ୍ରିନାଥରେ କଂଗ୍ରେସ ପ୍ରାର୍ଥୀ ଲଖପତ ସିଂ ବୁତାଲାଙ୍କ ବିଜୟ ହୋଇଛି। ମଧ୍ଯପ୍ରଦେଶର ଛନ୍ଦୱାରା ଅନ୍ତର୍ଗତ ଅମରୱାରା ଆସନରେ ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଧୀରନ ଶାହ ଇନଭତିଙ୍କୁ ପରାସ୍ତ କରିଛନ୍ତି।

ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ କଳାଧର ପ୍ରସାଦ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂ।  ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଅନିଉର ଶିବା  ବିଜୟୀ ହୋଇଛନ୍ତି।