ଆକ୍ରମଣ ଘଟଣାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତି ଗିରଫ

କେନ୍ଦୁଝର: ଯୁବମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିବା କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି । ଥାନାରେ ସଞ୍ଜୟ ମହାନ୍ତିଙ୍କ ସହ ମୋଟ୍‌ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଛି । ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କେନ୍ଦୁଝର ଏସ୍‌ପି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଗୁଣ୍ଡାଗର୍ଦ୍ଦି କରି କାହିଁକି ହୀନ ରାଜନୀତି କରୁଛି ବିଜେପି ? ପିସିସି ସଭାପତିଙ୍କୁ ଆକ୍ରମଣ ପଛରେ କ’ଣ ଉଦ୍ଦେଶ୍ୟ ?

ଗତକାଲି ସଂଧ୍ୟାରେ କେନ୍ଦୁଝର କାଶୀପୁର ନିକଟରେ ନିରଞ୍ଜନଙ୍କ ଉପରେ ଆକ୍ରମଣ ହୋଇଥିଲା । ଅଳ୍ପରେ ନିରଞ୍ଜନ ରକ୍ଷା ପାଇଥିଲେ । ତେବେ ତାଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ ଦୁର୍ବୃତ୍ତ । ପରେ କଂଗ୍ରେସ କର୍ମୀ ପିସିସି ସଭାପତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ । ଏହାପରେ ପିସିସି ସଭାପତିଙ୍କ ପିଏସଓ ସଞ୍ଜୟ ମହାନ୍ତିଙ୍କ ନାଁରେ ଏତଲା ଦେଇଥିଲେ । ତେବେ ବିଜେପିର ଗୁଣ୍ଡାଗର୍ଦ୍ଦି ବିରୋଧରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ସହ ସାରା ରାଜ୍ୟରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତକାଲି ସକାଳେ ବିଶାଲଗଡ଼ରେ ତ୍ରିପୁରା ପିସିସି ସଭାପତି ପିଜୁଶ କାନ୍ତି ବିଶ୍ୱାସଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ସଂଧ୍ୟାରେ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ହୋଇଛି । ଦୁଇ ରାଜ୍ୟ, ହିଂସାର ଦୁଇଟି ଚିତ୍ର, ଆଉ ଦୁଇ ଆକ୍ରମଣ ପଛରେ ବିଜେପି। ଗତକାଲି ସକାଳେ ତ୍ରିପୁରା ପିସିସି ସଭାପତି ପିଜୁଶ କାନ୍ତି ବିଶ୍ବାସଙ୍କ କାର୍‌ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ। ସିପାହିଜାଲା ଜିଲ୍ଲାର ବିଶାଲଗଡ଼ ଅଞ୍ଚଳରେ ଗତକାଲି ସକାଳେ ପିଜୁଶଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଏପରିକି ପୋଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ପ୍ରତିବାଦରେ ତ୍ରିପୁରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ଆଉ ଗତକାଲି କେନ୍ଦୁଝର କାଶୀପୁର ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ହୋଇଛି । ଉଭୟ ଘଟଣା ଦେଖିଲେ ଲାଗୁଛି, ଯୋଜନାବଦ୍ଧ ଭାବେ ଉଭୟ ସ୍ଥାନରେ ବିଜେପି ଆକ୍ରମଣ କରିଛି । ହେଲେ ପ୍ରଶ୍ନ ଉଠୁଛି, ଏଭଳି ଗୁଣ୍ଡାଗର୍ଦ୍ଦି କାହିଁକି? ରାଜନୈତିକ ଫାଇଦା ପାଇଁ ହିଂସାକୁ ମାଧ୍ୟମ କରିଛି କି ବିଜେପି? କଂଗ୍ରେସ ରାଜ୍ୟ ମୁଖ୍ୟଙ୍କୁ ଆକ୍ରମଣ, ଭଙ୍ଗାରୁଜା, ଗୁଣ୍ଡାଗର୍ଦ୍ଦି କରି କେଉଁ ସନ୍ଦେଶ ଦେବାକୁ ଚାହୁଁଛି ବିଜେପି?

Leave a Reply