ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ବର : ଆଳୁ ୭୦ ଟଙ୍କା, ପିଆଜ ୮୦ ଟଙ୍କା, ଡାଲି ଟପିଲାଣି ୧୫୦। ଛଅ ମାସର ସରକାରରେ ଦହଗଞ୍ଜ କଲାଣି ଦରଦାମ। ପଦାରେ ପଡ଼ିଲା ବିଜେପି ସରକାରର ଅର୍ଥନୈତିକ ପରିଚାଳନା ବିଫଳତା । ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତା ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ଘେରିବ ବିଜୁ ଜନତା ଦଳ । ଯେଉଁ ପ୍ରତିଶୃତି ଦେଇ ବିଜେପି କ୍ଷମତାକୁ ଆସିଥିଲା, ତାକୁ ପୂରଣ କରିବାରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ଅତିଷ୍ଠ ହେଲେଣି। ଏହାକୁ ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି । ୫୦ ହଜାର ଟଙ୍କା ସୁଭଦ୍ରା ଭେଳିକି, ୩୦୦ ଯୁନିଟ ମାଗଣା ବିଜୁଳି, ୩୧୦୦ ଟଙ୍କା ଏମଏସପି, ଭତ୍ତାକୁ ନେଇ ଚଞ୍ଚକତା ପରି ବିଜେପିର ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ଦଳ। ନିତ୍ୟ ବ୍ୟବହାର ସାମଗ୍ରୀ, ଡିଜେଲ, ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି। ଏହା ଭିତରେ ୯ ଥର ବଦଳିଲାଣି ସୁଭଦ୍ରାର ଏସଓପି । କେନ୍ଦ୍ରରେ ବିଜେପି, ରାଜ୍ୟରେ ବି ବିଜେପି । ଡବଲ ଇଞ୍ଜିନ ସରକାର ଥିବା ସତ୍ତ୍ବେ, ଓଡ଼ିଶା ସମେତ ବିଜେପି ଶାସିତ ରାଜ୍ୟରେ ବି ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛି ବିଜେପି ।
ନୂଆ ସରକାର ଆସିବା ପରେ ଅହେତୁକ ଦର ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ଚଡ଼କ ପଡିଛି । ଡବଲ ଇଞ୍ଜିନ ସରକାର ବିକାଶ ନାରା ଦେଇଥିଲେ। ହେଲେ ଅର୍ଥନୀତି ପରିଚାଳନାରେ ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି । ୨୦୧୪ରୁ ଏନଡିଏ ଆସିବା ପରଠାରୁ ହିଁ ଦର ବୃଦ୍ଧି ହୋଇ ଚାଲିଛି । ଗରିବଙ୍କ ସମେତ କ୍ଷତି ସହୁଛନ୍ତି ଉଭୟ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ। ଟୋକନ ନ ଆସିବାରୁ ଧାନ ବିକି ପାରୁ ନାହାନ୍ତି ଚାଷୀ । ମିଲରଙ୍କୁ ସୁହାଇବା ପାଇଁ ଯେଉଁ ଆନାଲାଇଜର୍ ଲଗାଯାଇଛି, ସେଥିରେ ୮ରୁ ୯ କିଲୋ କଟନି ଛଟନି ଚାଲିଛି । ଖାଲି ସେତିକୁ ନୁହେଁ, ସରକାର ମିଶନ ଶକ୍ତି ମା’ଙ୍କୁ ଦରମା ନ ଦେବାରୁ, ସେମାନେ ରାଜରାସ୍ତାରେ ବସିଲେ। ଦର ବୃଦ୍ଧିରେ ଏବେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି । ଯାହା କି ଚିନ୍ତାଜନକ ଥିବା ବେଳେ, ବେଫିକର ହୋଇ ବସିଛନ୍ତି ସରକାର। ବିଜେଡିର ଛାମୁଆ ସଙ୍ଗଠନ ସରକାରଙ୍କ ଏଭଳି ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଦେଇଛି ଚେତାବନୀ। ଦେଶରେ ୟୁପିଏ ବିରୋଧରେ ଦରଦାମ ବୃଦ୍ଧିକୁ ପ୍ରମୁଖ ମୁଦ୍ଦା କରି କ୍ଷମତାକୁ ଆସିଥିଲା ଏନଡିଏ । କିନ୍ତୁ ଏବେ ସୀମା ବାହାରକୁ ଚାଲିଗଲାଣି ଦରଦାମ। ଓଡ଼ିଶାରେ ବି ବିଜେପି କ୍ଷମତାକୁ ଆସିଲା। କିନ୍ତୁ ସବୁ ପ୍ରତିଶୃତି ଏବେ ପାଲଟିଛି ପ୍ରତାରଣା। ଏଭଳି ହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି।