ରାଜ୍ୟରେ ଉତ୍କଟ ସାର ସମସ୍ୟା: ୧୫ରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ରାଜ୍ୟରେ ଉତ୍କଟ ସାର ସମସ୍ୟା । ଚାଷୀଙ୍କୁ ମିଳୁନି ସାର । କଳାବଜାରୀ ହେଉଛି । ୧୫ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି । ସମାଧାନ ନ ହେଲେ ଜିଲ୍ଲାପାଳଙ୍କ ଅଫିସ ଓ ବ୍ଲକ ଅଫିସ୍ ସାମ୍ନାରେ ବିକ୍ଷୋଭ । ସାର ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସାର ପାଇଁ ସାରା ରାଜ୍ୟର ଚାଷୀ ହନ୍ତସନ୍ତ  । ଆଧାରକାର୍ଡ ଧରି ପ୍ୟାକ୍ସ, ଲ୍ୟାମ୍ପସ ଆଗରେ ରାତି ଅଧରୁ ଛିଡ଼ା ହେଲେ ବି ଚାଷୀଙ୍କୁ ମିଳୁନି ସାର। ଏହାକୁ ନେଇ ବର୍ଷିଛି ବିଜେଡି। କହିଛି, ସରକାର ବୋଧହୁଏ ବଧିର ହୋଇ ଗଲେଣି । ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ। ରାଜ୍ୟରେ ସାର ସମସ୍ୟା ନାହିଁ ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ  । ସମବାୟ ମନ୍ତ୍ରୀ ବି ସେଇ କଥା କହୁଛନ୍ତି। ହେଲେ ସରକାରୀ ତଥ୍ୟ କହୁଛି ଭିନ୍ନ କଥା। ଗଂଜାମ ଜିଲ୍ଲାପାଳ ମାଗିଥିଲେ ୧୯ ହଜାର ୫୦୦ ମେଟ୍ରିକ ଟନ। କିନ୍ତୁ ମିଳିଛି ମାତ୍ର ୧୦ ହଜାର ଟନ। ବାକି ଜିଲ୍ଲାର ବି ସମାନ ସମସ୍ୟା। ଯେତେ ଦରକାର ସେତେ ସାର ମିଳୁନି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଚିଠି ଲେଖିଥିଲେ। କଳାବଜାରୀ ରୋକି ପାରୁନାହାନ୍ତି ସରକାର। ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ନ ମିଳିଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ବିଜେଡି। ଚାଷୀଙ୍କୁ ପ୍ରତାରଣା କରାଯାଇଥିବାରୁ ୧୫ ତାରିଖରେ ରାଜଭବନ ଆଗରେ ବିଜେଡି ଧାରଣା ଦେବ। ତା ପରେ ବି ସରକାର ନ ଚେତିଲେ ଜିଲ୍ଲାପାଳଙ୍କ ଅଫିସି ଓ ବ୍ଲକ ଅଫିସ ଆଗରେ ଧାରଣା ଦେବ ଦଳ। ।

ଚାଷୀମାନେ ବି ଅଭିଯୋଗ କରିଛନ୍ତି, ରାଜ୍ୟରେ ଦେଖାଦେଇଛି ସାରର କୃତ୍ରିମ ଅଭାବ। କଳାବଜାରୀ ହେଉଛି। ଯେଉଁ ସାରର ଦାମ ପ୍ୟାକେଟ ପିଛା ୧୬୦ରୁ୨୭୦ ଟଙ୍କା । ତାହା ବିକ୍ରି ହେଉଛି ୬୦୦ରୁ ୭୦୦ ଟଙ୍କାରେ। ୟୁରିଆ ତ ବିଲକୁଲ ମିଳୁନି। ସାରର ଅଭାବୀ ବିକ୍ରି ଓ ସାର ସଙ୍କଟ ସତ୍ତ୍ଵେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସାର ମିଳୁନଥିବାରୁ ଧାନ ଗଛ ହଳଦିଆ ପଡ଼ିଗଲାଣି। ଏଥିପାଇଁ ଚାଷୀ ହତାଶ ହୋଇଗଲେଣି। ରାଜ୍ୟରେ ସାର ସମସ୍ୟା ଉତ୍କଟ । ହେଲେ କୃଷି ମନ୍ତ୍ରୀ କହିଛନ୍ତି ସାର ମହଜୁଦ ଅଛି । ଯଦି ମହଜୁଦ ଅଛି ତାହେଲେ କାହିଁକି ସବୁ ଜିଲ୍ଲାକୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଣ ହେଉନି? ତାକୁ ନେଇ ଉଠିଛି ପ୍ରଶ୍ନ । ସାର ଅଭାବ ନେଇ ଖୋଦ ମୁଖ୍ୟମନ୍ତ୍ରୀ ବି ବୈଠକ ଡାକି ତାଗିଦ କଲେ । ତଥାପି ଯାଉନି ଚାଷୀଙ୍କ ଦୁଃଖ । ସାର ସଂକଟ ଦୂର ନ ହେଲେ ଆଗକୁ ତୀବ୍ର ହେବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛି ବିଜେଡି