ବିଜେଡିର ବିଜେପିକୁ ଚେତାବନୀ, ସ୍ବାସ୍ଥ୍ଯ କ୍ଷେତ୍ରରେ ହଇରାଣ ନ ହୁଅନ୍ତୁ ଗରିବ ଲୋକ

1 min read

ଭୁବନେଶ୍ୱର: କ୍ଷମତାକୁ ଆସିଲେ ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ କହିଥିଲେ ବିଜେପି ସରକାର । ହେଲେ ଶହେ ଦିନ ବିତିବା ସତ୍ତ୍ବେ ଏପର୍ଯ୍ୟନ୍ତ ମୋଡାଲିଟି ପ୍ରସ୍ତୁତ ହୋଇପାରିନାହିଁ । ମଙ୍ଗଳବାର ସାରାଦେଶରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ପାର୍ଟ-୨ ଲଞ୍ଚ ହେବ । ଯାହାକୁ ଓଡ଼ିଶା କେବଳ ଗ୍ରହଣ କରିବ କିନ୍ତୁ ଓଡିଶାରେ ଏବେ ଲାଗୁ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାରଣ ମୋଡାଲିଟି ପ୍ରସ୍ତୁତ ହୋଇନାହିଁ। ଖୁବ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରାଯିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସେପଟେ ଗରିବ ଲୋକଙ୍କ ସ୍ବାସ୍ଥ୍ଯ ଓ ଜୀବନ ସହ ନ ଖେଳିବାକୁ ଚେତାଇ ଦେଇଛି ବିଜେଡି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ବାରା ଗରିବ ଲୋକ ବେଶ ଉପକୃତ ହେଉଥିଲେ l ଯାହା ସ୍ଵାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା l ନୂଆ ସରକାର ସ୍ଵାସ୍ଥ୍ୟ କାର୍ଡର ନାଁ ପରିବର୍ତ୍ତନ କରନ୍ତୁ କି ନୂଆ ଯୋଜନା କରି ମିଶ୍ରଣ କରନ୍ତୁ l କିନ୍ତୁ ଗରିବ ଲୋକମାନେ ଯେମିତି ଅସୁବିଧାରେ ନ ପଡ଼ିବେ ସେଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲି। ବିଜୁ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲୋକେ ଯେମିତି ପାଉଥିଲେ ସେମିତି ପାଆନ୍ତୁ ବୋଲି ସେ ଦାବି କରିଛନ୍ତି ।