ପୋଲାଭରମ ଦ୍ବାରା ବୁଡ଼ିବାକୁ ଥିବା ଅଞ୍ଚଳରେ ବିଜେଡି ଟିମ୍

କାଲିମେଳା: ଓଡିଶାର ସ୍ବାର୍ଥକୁ ଅଣଦେଖା କରି ତିଆରି ହେଉଛି ପୋଲାଭରମ ପ୍ରକଳ୍ପ । ଏହି ପ୍ରକଳ୍ପକୁ ଦୀର୍ଘ ଦିନରୁ ବିଜେଡି ବିରୋଧ କରିଆସୁଛି । ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ମଧ୍ୟ ରାଜ୍ୟ ସରକାର ଦାବି କରିଥିଲେ । ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ଗାଁ ମାନଚିତ୍ରରୁ ଲୋପ ପାଇଯିବ । ଏହାକୁ ଅଣଦେଖା କରି ଆନ୍ଧ୍ର ପ୍ରକଳ୍ପ କାମ ଆଗେଇ ନେଉଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ଜାତୀୟ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ବିରେଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ଗ୍ରାଉଣ୍ଡ ଜିରୋରେ ପହଁଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

ଗତ ପ୍ରାୟ ୧୦ ବର୍ଷ ହେଲା ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଛି ବିଜେଡି । କିନ୍ତୁ ଓଡିଶା ସ୍ବାର୍ଥ ବଦଳରେ ଆନ୍ଧ୍ରର ସ୍ବାର୍ଥକୁ ଜଗୁଛି କେନ୍ଦ୍ର । ବିବାଦୀୟ ପୋଲାଭରମ ଡ୍ୟାମର ଉଚ୍ଚତା ହ୍ରାସ କରିବାକୁ ବିଜେଡି ଦାବି କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ଆର୍ଥିକ ସହାୟତା ଦେଉଛି । ୨୦୧୬ରେ ଏହି ପ୍ରସଙ୍ଗରେ ବିଜେଡି ରାଜଭବନ ସାମନାରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଥିଲା । କେନ୍ଦ୍ର ସରକାର କିନ୍ତୁ ଓଡିଶାର ଦାବିକୁ ଅଣଦେଖା କରିଆସୁଛି । ଏବେ ପୁଣି ଥରେ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ୧୫ ହଜାର କୋଟିର ସହୟତା ବଜେଟରେ ଘୋଷଣା କରିଛନ୍ତି । କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତିକୁ ପୁଣି ଥରେ ବିରୋଧ କରିଛି ବିଜେଡି । ଗୁରୁବାର ବିଜେଡିର ଏକ ଟିମ ଗ୍ରାଉଣ୍ଡ ଜିରୋରେ ପହଁଚି କ୍ଷତିଗ୍ରସ୍ତ ହେବାକୁ ଥିବା ଗାଁର ଲୋକଙ୍କ ସହ ଆଲୋଚନା କରିଛି ।

ପୋଲାଭରମ ପ୍ରକଳ୍ପ ହେଲେ ସୁବିଧା ପାଇବ ଆନ୍ଧ୍ର, କିନ୍ତୁ ଓଡ଼ିଶାରେ ସୃଷ୍ଟି ହେବ ବନ୍ୟା ପରିସ୍ଥିତି । ମାଲକାଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର ବହୁ ଆଦିବାସୀ ବେଘର ହେବେ । ଏହି ଦୁଇ ବ୍ଲକର ବହୁ ଅଞ୍ଚଳ ଜିଲ୍ଲା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି । ଏଥିପାଇଁ ବିଜେଡିର ଏକ ଟିମ ପହଞ୍ଚିଛି ମାଲକାନଗରିରେ । ଜିଲ୍ଲାର ମୋଟୁ ମୁଗି ପଏଣ୍ଟ, ପୁସୁଗୁଡ଼ା, ବିନୟପୂର ଗାଁ ସହ ବିଭିନ୍ନ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଥମେ ମୋଟୁ ବ୍ଲକର ପସୁଗୁଡ଼ା ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଆନ୍ଧ୍ର ସୀମାନ୍ତ ଖାଲଦାପାଳି ଯାଇ ଲୋକଙ୍କ ସହ କଥା ହୋଇଛନ୍ତି । ପରେ ମୋଟୁର ମୁଗି ପଏଣ୍ଟରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ପୋଲାଭରମ ପ୍ରକଳ୍ପ ବିରୋଧୀ ମଞ୍ଚର ଆବାହକ ପ୍ରଭାକର ହନ୍ତାଲଙ୍କ ସହ ମଧ୍ୟ ଆଲୋଚନା କରିଛି ଏହି ପ୍ରତିନିଧି ଦଳ ।

ପୂର୍ବତନ ମନ୍ତ୍ରୀ ଅତୁନୁ ସବ୍ୟସାଚୀଙ୍କ ନେତୃତ୍ଵରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ମାନସ ମାଡକାମି, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ରମେଶ ମାଝୀ ମାଲକାନଗିରି ମୋଟୁ ଅଞ୍ଚଳ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।