ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ନନ୍ଦିଘୋଷ ବ୍ୟୁରୋ: ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ। ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ବର୍ବରୋଚିତ ବୋଲି କହିଛି ବିଜେଡି । ମେଜରଙ୍କ ବାନ୍ଧବୀଙ୍କୁ ଚରମ ଆଘାତ ଲାଗିଛି। ତାଙ୍କର ଶାରୀରିକ ଓ ମାନସିକ ସ୍ତରରେ ଆଘାତ ଲାଗିଛି । ମୁଖ୍ଯମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ଅଛନ୍ତି । ସେ ସବୁବେଳେ ସବୁ କଥାରେ ୨୪ ବର୍ଷ ସରକାରକୁ ଦୋଷ ଦେଉଛନ୍ତି। କିନ୍ତୁ ଭୁବନେଶ୍ୱରରେ ଏଭଳି ଘଟଣା ଖୁବ ନିନ୍ଦନୀୟ । ଏହା ଶହେ ଦିନର ସରକାରର ପୋଲିସ ଉପରେ ନିୟନ୍ତ୍ରଣ ନାହିଁ ବୋଲି ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ଯେଉଁମାନେ ଦେଶ ସୁରକ୍ଷାରେ ରହିଛନ୍ତି ସେମାନଙ୍କ ଉପରେ ପୋଲିସର ଏଭଳି ଜୁଲମ ନିନ୍ଦନୀୟ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ ହେବା ଦରକାର ।

ମୋହନ ମାଝୀଙ୍କ ସରକାର ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ସାଧାରଣ ଲୋକଙ୍କୁ ଏହି ସରକାର କେତେ ନ୍ୟାୟ ଦେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା। ସେହିପରି ଘଟଣାର ଦୃଢ ନିନ୍ଦା କରିଛନ୍ତି ମେୟର ସୁଲୋଚନା ଦାସ । ୧୦୦ ଦିନ ଭିତରେ ଏ ସରକାର ଦେଖାଇଦେଲେ ଯେ ରାଜ୍ୟରେ ନା ମହିଳା ସୁରକ୍ଷିତ ଅଛନ୍ତି ନା ଦେଶକୁ ଯେଉଁମାନେ  ସୁରକ୍ଷା ଦେଉଛନ୍ତି ସେମାନେ ସୁରକ୍ଷିତ ଅଛନ୍ତି। ମେଜର ଗୁରବନ୍ତ ସିଂଙ୍କ ବାନ୍ଧବୀଙ୍କ ହାତ ଭାଙ୍ଗିଛି ଓ ବେକରେ ଟ୍ରାକ୍ସନ ଲାଗିଛି। ମାନସିକ ସ୍ତରରେ ସେ ଭାଙ୍ଗି ପଡିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ଉପରେ ଥାର୍ଡ ଡିଗ୍ରୀ ଅତ୍ୟାଚାର କରାଯାଇଛି।

ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଏ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଗ୍ରହଣ କରୁନି ବିଜେଡି। ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ। ପୋଲିସ ଯେ କି ରକ୍ଷକ ସେ ଭକ୍ଷକ ସାଜିଛି। ସବୁସ୍ତରରେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ବିଜେଡି ପ୍ରତିନିଧି ଦଳରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ତଥା ବିଜେଡି କର୍ପୋରେଟର ଓ ଅନ୍ୟ କିଛି ନେତା ସାମିଲ ହୋଇଥିଲେ।