ବାହାନା ନଖୋଜି ମହାନଦୀ ସମସ୍ୟାର ସମାଧାନ କର: ବିଜେଡି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ରାଜସ୍ବ ମନ୍ତ୍ରୀଙ୍କ ବିବୃତି ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ସେ କହିଛନ୍ତି, ‘ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା । ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ ତଳମୁଣ୍ଡରେ ଓଡିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି । ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରି ଚାଲିଛି ।’

ଆଗକୁ ସେ କହିଛନ୍ତି, ‘ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ଓଡିଶା ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ପାଇଁ ନବୀନ ପଟ୍ଟନାୟକ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇ ନଥିଲା । ସେତେବେଳେ ଓଡିଶାର ସ୍ୱାର୍ଥକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଅଣଦେଖା କରିଥିଲେ ।’

ସେ ଆହୁରି କହିଛନ୍ତି, ‘ଛତିଶଗଡର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ରାଜ୍ୟ ସରକାର ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ଟ୍ରିବ୍ୟୁନାଲ ଗଠନରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା । ଏଥିରେ ଓଡିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯାଇ ପକ୍ଷ ରଖାଯାଇଛି । ମହାନଦୀ ପାଇଁ ଓଡିଶା ନ୍ୟାୟିକ ଲଢେଇ ଲଢିଛି, ରାଜରାସ୍ତାରେ ସଂଗ୍ରାମ କରିଛି, ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି । ହେଲେ କେନ୍ଦ୍ର ନୀରବ ଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡରେ ଥିବା ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିଲା । ତେଣୁ ମହାନଦୀକୁ ନେଇ ଓଡିଶା ସରକାର କିଛି କରି ନଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଉଦ୍ୟମ କରିବା ଦରକାର ।’

ସାମ୍ବାଦିକ ସମ୍ମିଳନୀରେ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ କହିଥିଲେ । ଡବଲ ଇଞ୍ଜିନ ସରକାରରେ ପ୍ରଗତି ଦୁଇ ଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ । ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଞ୍ଜିନ ସରକାର ରହିଛି । କେନ୍ଦ୍ରରେ, ଛତିଶଗଡରେ, ଓଡିଶାରେ ସବୁଠି ବିଜେପି ସରକାର । ଏବେ ଆଉ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରାଯାଉ । ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଉତ୍ତର ଦେବାକୁ ପଡିବ । କାରଣ ମହାନଦୀରେ ପାଣି ନଆସିବା ଦ୍ୱାରା ସେମାନେ ବି ପ୍ରଭାବିତ ହେଉଛନ୍ତି ।