ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା : ସରକାରଙ୍କୁ ନିନ୍ଦା କଲା ବିଜେଡି

1 min read

ନନ୍ଦିଘୋଷ ବ୍ୟୁରୋ: ବାଲିଗୁଡ଼ାରେ ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ରାଜ୍ଯକୁ ଲଜ୍ଜା ଆଣିଲେ ବିଜେପି ସରକାର । ଆମ୍ବ ଟାକୁଆ ଖାଇ ମୃତ୍ଯୁ ପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ଯ ସରକାର କରିଛନ୍ତି ଉପହାସ । ଉପମୁଖ୍ଯମନ୍ତ୍ରୀ ଏହାକୁ ଅପପୁଷ୍ଟି ନୁହେଁ ବୋଲି କହିବା ଦୁର୍ଭାଗ୍ଯଜନକ । ତାଠୁ ଆହୁରି ଦୁଃଖଦାୟିକ କଥା ହେଲା ଆମ୍ବ ଟାକୁଆ ଖାଇବା ସେହି ଅଞ୍ଚଳର ନିୟମିତ ଖାଦ୍ଯ । ଏହା ଏକ ଘୋର ଲଜ୍ଜାଜନକ କଥା । ଏହାକୁ ସରକାର ଆହ୍ବାନ ଭାବେ ଗ୍ରହଣ କରନ୍ତୁ । ରାଜ୍ଯରେ ବିପର୍ଯ୍ୟସ୍ତ ବଣ୍ଟନ ବ୍ଯବସ୍ଥାକୁ ସୁଦୃଢ କରାଯାଉ । ଦାରିଙ୍ଗବାଡ଼ି ଘଟଣାରେ ଏପରି ଭାବେ ବର୍ଷିଛି ବିଜେଡି । କହିଛି, ନୂଆ ସରକାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି । ଆମ୍ବ ଟାକୁଆ ଖାଇ ମୃତ୍ଯୁ ଘଟଣାକୁ ସରକାର ଗୁରୁତର ସହ ନିଅନ୍ତୁ । ଆଗକୁ ଯେମିତି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ବିଜେଡି । ୨୦୧୪ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଗଲା । ତେବେ ଏଥିରୁ ବାଦ ପଡିଥିବା ଗରିବଙ୍କ ପାଇଁ ତତ୍କାଳୀନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ଯ ସୁରକ୍ଷା ଆଇନ ଆରମ୍ଭ କଲେ । ଜଣେ ବି କେହି ଯେମିତି ଅନାହାରରେ ମୃତ୍ଯୁ ନହୁଏ ସେଥିପାଇଁ ନବୀନ ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ୨୫ ଲକ୍ଷ ସାମିଲ ହୋଇଛନ୍ତି । ଡବଲ ଇଂଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହି ଯାଇଛି । ଏହା ସ୍ପଷ୍ଟ ହୋଇଛି ଯେ ଆଦିବାସୀ ପରିବାର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବଣ୍ଟନ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖାଉଛି । ଦାରିଙ୍ଗବାଡିରେ ସେହି ୬ ପରିବାର ଚାରି ମାସ ହେଲା ରାସନ ପାଇନାହାଁନ୍ତି । କିଭଳି ସମସ୍ତେ ରାସନ ପାଇବେ ସେହି ବ୍ଯବସ୍ଥା କରାଯାଉ ବୋଲି ବିଜେଡି ଦାବି କରିଛି । ଯେତେବେଳେ ଏହି ଘଟଣା ଦୃଷ୍ଟିକୁ ଆସିଲା, ତୁରନ୍ତ ଖାଦ୍ୟ ଦେବାକୁ BDO ଯେଉଁ ମତ ଦେଇଛନ୍ତି, ତାକୁ ଅନୁଧ୍ୟାନ କରାଯାଉ । ଉପ ମୁଖ୍ୟମନ୍ତ୍ରୀ ଯାହା କହିଲେ ଏହା ଅପପୁଷ୍ଟି ନୁହେଁ ତାହାଲେ ଅପପୁଷ୍ଟି ଓ ମୃତ୍ୟୁ କେମିତି ହେଲେ ସରକାର ଏହାକୁ ମାନିଵେ ବୋଲି ପ୍ରଶ୍ନ କରିଛି ବିଜେଡି । ଗ୍ରାଉଣ୍ଡ ରିପୋର୍ଟ କହୁଛି ସେମାନେ ଖାଦ୍ୟ ସୁରକ୍ଷା କାର୍ଡ ଧରିଛନ୍ତି । ହେଲେ ଚାରି ମାସ ହେବ ରାସନ ପାଇ ନାହାନ୍ତି । ଯେଉଁଥି ପାଇଁ ଆମ୍ବ ଟାକୁଆ ଖାଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ପ୍ରଶାସନ ଓ ବ୍ୟବସ୍ଥା ଆଜି ଯେଉଁଭଳି କାଠଗଡାରେ ଠିଆ ହୋଇଛି, ଦୃଢ ଆଇନଗତ ପଦକ୍ଷେପ ନିଆଯାଉ । ରାସନ ବ୍ୟବସ୍ଥାରେ ବିଭ୍ରାଟ କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ନଜର ପକାନ୍ତୁ