ବିଜେଡି ପ୍ରତିଷ୍ଠା ଦିବସରେ ନେତା ଓ କର୍ମୀଙ୍କୁ ନବୀନଙ୍କ ଶୁଭେଚ୍ଛା: ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ପ୍ରୟାସ ପାଇଁ ଆହ୍ୱାନ

1 min read

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସହ ଦଳର ସମସ୍ତ କର୍ମୀ ଓ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ସେ କହିଛନ୍ତି, ଆପଣମାନଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଆଜି କୋଟି କୋଟି ଓଡ଼ିଆଙ୍କ ବଳ ସାଜିଛି । ଏହାକୁ ଅତୁଟ ରଖି ନୂଆ ଓଡ଼ିଶା ଓ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି ।

ସେହିଭଳି ପ୍ରତିଷ୍ଠା ଦିବସରେ ରାଜ୍ୟବାସୀ ଓ ଦଳର କର୍ମୀ ଓ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟବାସୀଙ୍କ ଅଧିକାରର ଲଢ଼େଇକୁ ଆହୁରି ଜୋରଦାର କରିବାରେ ବିଜେଡି ସବୁବେଳେ ଆଗରେ ରହିଛି ଓ ରହିବ ବୋଲି ପ୍ରଣବ କହିଛନ୍ତି । ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ମଧ୍ୟ ଦଳର ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜ୍ୟବ୍ୟାପୀ ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଛାମୁଆ ନେତା । ଅପରାହ୍ଣରେ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି ।

ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଜାତି ପାଇଁ ଆଦର୍ଶ ହେଉଛନ୍ତି ବିଜୁବାବୁ । ସାରା ଓଡ଼ିଶାକୁ ଆହ୍ୱାନ ଦେଇଥିଲେ ବିଜୁବାବୁ । ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବାକୁ ସଂକଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ଯୋଜନା ସଫଳ ରୂପାୟନ ହୋଇପାରିଛି । ସାରା ଦେଶରେ ବିଜେଡି ଏବେ ରୋଲ ମଡେଲ ହୋଇଛି । କାରଣ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସ ପାଇଁ ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ ସବୁ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ । କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ସମସ୍ୟାକୁ ଘରେ ଘରେ ପହଞ୍ଚାଇବେ ମହିଳା ବ୍ରିଗେଡ୍ ।

Leave a Reply