ଲୋକଙ୍କୁ ବିଭ୍ରାନ୍ତ ଉଦ୍ୟମରୁ ବିରତ ରହୁ ବିଜେପି : ବିଜେଡି

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଓଡିଶାକୁ ଦିଲ୍ଲୀରେ ପୁରସ୍କୃତ କରିଛନ୍ତି । କିନ୍ତୁ ଓଡିଶା ବିଜେପି ଲୋକଙ୍କୁ ଭୁଲ୍‍ ସୂଚନା ଦେଇ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାକୁ ରାଜ୍ୟ ସରକାର ଓଡିଶାରେ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି । ଗାଁ ଗହଳିର ଲୋକଙ୍କୁ ପକ୍କାଘର ଯୋଗାଣ ଲାଗି କେନ୍ଦ୍ର ସରକାର ଓଡିଶାକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତାମାନେ ରାଜ୍ୟ ସରକାର ଏଭଳି କାମକୁ ଭୁଲି ଯାଉଛନ୍ତି । ବିଜେପି ନେତାମାନେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସମ୍ପର୍କିତ ସୂଚନା କେନ୍ଦ୍ର ସରକାରଙ୍କ ଠାରୁ ସଂଗ୍ରହ କରି ଓଡ଼ିଶା ଲୋକଙ୍କୁ ବିଭ୍ରାନ୍ତ କରିବାରୁ କ୍ଷାନ୍ତ ରହିବେ ବୋଲି ବିଜେଡି ଆଶା କରୁଥିବା ଶ୍ରୀ ପାତ୍ର କହିଛନ୍ତି । ଏଭଳି ଦାୟିତ୍ୱହୀନ ଏବଂ ଅସତ୍ୟ ମନ୍ତବ୍ୟ ଦେବା ଫଳରେ ରାଜ୍ୟବାସୀଙ୍କ ନିକଟରେ ଓଡ଼ିଶା ବିଜେପି ତାହାର ବିଶ୍ୱସନୀୟତା ହରାଉଛି ଏବଂ ପ୍ରତ୍ୟାଖ୍ୟାତ ହେଉଛି । ଏଭଳି ଆଚରଣରୁ ବିରତ ନରହିଲେ ଭବିଷ୍ୟତରେ ମଧ୍ୟ ରାଜ୍ୟବାସୀ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ପାତ୍ର ସତର୍କ କରାଇଦେଇଛନ୍ତି ।

Leave a Reply