spot_img

Latest Posts

ହୁ ହୁ ହେଇ ବଢ଼ିଚାଲିଛି ତୈଳଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପ୍ରତି ୯୬ ଟଙ୍କା ୧୧ ପଇସା ଥିବାବେଳେ ଡିଜେଲ ୯୪ ଟଙ୍କା ୦୧ ପଇସା ଅଛି । ଗତବର୍ଷ ଏପ୍ରିଲଠାରୁ ୨୭ଟଙ୍କା ୩୭ ପଇସା ପେଟ୍ରୋଲ ଓ ୨୭ ଟଙ୍କା ୩୦ ପଇସା ବଢ଼ିଛି ଡିଜେଲ ।  ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ୁଥିବାରୁ ଏଠି ବୃଦ୍ଧି ହେଉଛି । ଏଥି ପାଇଁ ପେଟ୍ରୋଲ ୮ ଟଙ୍କା ୪୭ ପଇସା ଓ ଡିଜେଲ ଦର ୭ଟଙ୍କା ୫୭ ପଇସା ଲିଟର ପିଛା ବଢ଼ିଛି । ଉତ୍କଳ ପେଟ୍ରୋଲ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏହି ସୂଚନା ଦେଇଛନ୍ତି । ଟିକସ ବା ଏକ୍ସାଇଜ ଯୋଗୁ ୯ଟଙ୍କା ୯୨ ପଇସା ପେଟ୍ରୋଲ ଓ ୧୨ ଟଙ୍କା ୯୭ ପଇସା ଲିଟର ପିଚ୍ଛା ବଢିଛି ଡିଜେଲ ଦର ।

VAT ଯୋଗୁ ୮ଟଙ୍କା ୯୮ ପଇସା ପେଟ୍ରୋଲ ଓ ୬ ଟଙ୍କା ୭୬ ପଇସା ଡିଜେଲରେ ବୃଦ୍ଧି ପାଇଛି । ୭ଟି ରାଜ୍ୟରେ ଶହେ ଟଙ୍କା ପାର ହେଲାଣି ଦର। ଅନ୍ତର୍ଜାତୀୟ ବଜାରରେ ୭୦ରୁ ୭୧ ଡଲାର ପ୍ରତି ବ୍ୟାରେଲ ଦର ଅଛି। ଯାହା ଆହୁରି କିଛି ଦିନ ବୃଦ୍ଧି ପାଇ ୭୫ ଡଲାରରେ ପହଞ୍ଚିପାରେ ବୋଲି ଉତ୍କଳ ପେଟ୍ରୋଲ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଲଗାତାର ତୈଳଦର ବୃଦ୍ଧିକୁ ବିଜେଡିର ବିରୋଧ । ବର୍ତ୍ତମାନ ସାରା ଦେଶରେ ଦରଦାମ ହୁ ହୁ ହୋଇ ବୃଦ୍ଧି ପାଉଛି । ଏହି ସମୟରେ ପ୍ରାୟ ସମସ୍ତେ ବେକାର । ଜିଡିପି ୪୦ ବର୍ଷ ତଳକୁ ଖସି ଯାଇଛି । ଏଭଳି ସମୟରେ ଲଗାତାର ତୈଳଦର ବୃଦ୍ଧିକୁ ବିଜେଡି ନେତା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିନ୍ଦା କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଅଚ୍ଛେ ଦିନର ସ୍ଲୋଗାନ ଦେଉଥିଲେ, ତା’ର ଓଲଟା ହେଉଛି । ସବୁଵର୍ଗର ଲୋକ ପ୍ରଭାବିତ ହେଉଛନ୍ତି ।

ଗତ ବଜେଟ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥିଲେ, କୃଷି ସେସ୍‌ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ । ସେପଟେ ଲଗାତାର ଭାବେ ୧୬ଥର ତୈଳଦର ବୃଦ୍ଧି କରାଯାଇଛି । ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପଡିଛି । ତେଣୁ ବର୍ଦ୍ଧିତ କୃଷି ସେସ୍‌ ପ୍ରତ୍ୟାହାର କରାଯାଉ । କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ କମାଇବା ସହ ରିହାତି ବୃଦ୍ଧି କରନ୍ତୁ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯେଉଁ ହାରରେ ବୃଦ୍ଧି ପାଉନି, ତା’ ତୁଳନାରେ ତୈଳଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି । ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଅଗାମୀ ଦିନରେ ତୈଳଦର ବୃଦ୍ଧିର ପ୍ରତିବାଦ କରି ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣାଇବ ବୋଲି ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ।

Latest Posts

Don't Miss