ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ପୋଲିସ : ବିଜେଡି

1 min read

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି  । ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ବାଲେଶ୍ଵର-ରେମୁଣା, ନବରଙ୍ଗପୁର , ରାଉଲକେଲା, ଭୁବନେଶ୍ଵର ଓ ଭରତପୁରରେ ଏହା ଜ୍ବଳନ୍ତ ଉଦାହରଣ ଦେଖବାକୁ ମିଳିଥିବା କହିଛି ବିଜେଡି । କୁଚିଣ୍ଡାରେ କର୍ମା ପୂଜା ଦିନ ଘଟିଛି ଗଣ ଦୁର୍ଷ୍କମ  । ୫ଜଣ ଯୁବକ ୧୪ ବର୍ଷର ଦଳିତ ନାବାଳିକାଙ୍କୁ ଏକ କ୍ଳବରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଘରଠୁ ମାତ୍ର ୩୦୦ ମିଟର ଦୂରରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଏହି ପାଞ୍ଚ ଦୁର୍ବୃତ୍ତଙ୍କ ମଧ୍ୟରୁ ହରିହର ପାଣି ହେଉଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ଘନିଷ୍ଠ ସହଯୋଗୀ  । ମନ୍ତ୍ରୀ ଓ ବିଜେପି ନେତାଙ୍କ ସହ ହରିହର ପାଣିଙ୍କ ଏକାଧିକ ଫଟୋ ରହିଛି । ସମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହାର ପ୍ରମାଣ ଦେଖାଥିଲେ।

ମନ୍ତ୍ରୀ ରବି ନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ଯମନ୍ତ୍ରୀ ଓ ଅନ୍ଯ ବରିଷ୍ଠ ବିଜେପି ନେତାଙ୍କ ସହ ହରିହରଙ୍କ ଫଟୋ ରହିଛି । ପୀଡିତା ଅଭିଯୋଗ ପାଇଁ ଥାନାକୁ ଗଲାବେଳକୁ ହରିହର ପାଣି ଥାନାରେ ଥିଲେ  । ତେଣୁ ପୀଡିତା ତାଙ୍କୁ ଡରି କିଛି କହିନଥିଲେ  । ଫଳରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରିଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଥାନାରେ ହରିହର ଭୟରେ କିଛି କହିନଥିଲେ ବି ଘରକୁ ଫେରି ବାପା ଓ ମାଆଙ୍କୁ ଝିଅ ସବୁ ସତ କହିଥିଲା । ତାପର ଦିନ ଥାନାକୁ ଗଲା ବେଳେ ପୋଲିସ ଆଉ ଏତଲା ନେବ ନାହିଁ କି ଗଣ ଦୁଷ୍କର୍ମ ମାମଲା ରୁଜୁ କରିବନି ବୋଲି କହିଥିଲା  । ପୋଲିସ ଏ ଘଟଣା ରଫାଦଫା କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି  । ମାମଲାରେ ପୋଲିସ ୩ ଜଣ ଆଦିବାସୀ ଯୁବକଙ୍କୁ ଗିରଫ କରିଛି  । ହେଲେ ହରିହର ପାଣିଙ୍କୁ ଗିରଫ କରିନାହିଁ  । ପୋଲିସ କହୁଛି ହରିହର ପାଣି ଫେରାର ରହିଛନ୍ତି  । ଏଥରୁ ଜଣାପଡ଼ୁଛି ରାଜ୍ୟରେ ଆଇନ୍ ଶୁଙ୍ଖଳା କିଭଳି ଚାଲିଛି  ।

ଗୋଟେ ଦଳିତ ଝିଅ ଉପରେ ଏପରି କାଣ୍ଡ ହେବା, ପୋଲିସ ଓ ପ୍ରଶାସନ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି  । ହରିହର ପାଣିଙ୍କୁ ନେଇ ମନ୍ତ୍ରୀ ଓ ପୋଲିସ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେଡି । ଦଳିତ ଝିଅ ପ୍ରତି ଅନ୍ୟାୟ ହୋଇଛି  । ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେଡି ଗଠନ କରିଛି ଫ୍ୟାକ୍ଟପାଇଣ୍ଡିଙ୍ଗ ଟିମ  । ଦଳର ନେତ୍ରୀ କୁଚିଣ୍ଡାରେ ଯାଇ ଘଟଣାର ତଦନ୍ତ କରି ଦଳ ସଭାପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛି ବିଜେଡି  ।