ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ : ବିଜେଡି
ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ । ଗତ ତିନି ବର୍ଷ ହେଲା ରେଳ ବଜେଟରେ ୧୦ ହଜାର କୋଟିରୁ ଅଧିକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ । କିନ୍ତୁ ଏହା ଓଡ଼ିଶାରୁ ପାଉଥିବା ରେଳ ରାଜସ୍ବର କେତେ ଅଂଶ ବୋଲି ପଚାରିଛି ବିଜୁ ଜନତା ଦଳ । ଆଜି ପ୍ରେସ ମିଟ କରି ଦଳ ରେଳମନ୍ତ୍ରୀଙ୍କୁ ଘେରିଛି । ପ୍ରତିବର୍ଷ ରେଳବାଇ ପୂର୍ବତଟ ରେଳରୁ ହାରାହାରି ୨୫ ହଜାର କୋଟି ରାଜସ୍ବ ନେଉଛି । ଏମିତି ଗତ ୧୦ ବର୍ଷରେ ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ନେଲାଣି ରେଳବାଇ । ହେଲେ ଦେଇଥିବା ବଜେଟ ବ୍ଯୟବରାଦ କେତେ ପରିମାଣ ବୋଲି ପଚାରି ରେଳମନ୍ତ୍ରୀଙ୍କୁ ଚ୍ଯାଲେଞ୍ଜ କରିଛି ବିଜେଡି ।
କେତେ ନେଉଛ କେତେ ଦେଉଛ ତାହାର ଏକ ହିସାବ ଦେବାକୁ ଚ୍ଯାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ । ସତସାହସ ଅଛି ଯଦି ଉତ୍ତର ଦିଅନ୍ତୁ ବୋଲି ସେ ଚ୍ଯାଲେଞ୍ଜ କରିଛନ୍ତି । ଏଥର ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୧୦, ୫୯୯ କୋଟି । ଯାହା ଗତ ଥର ଅପେକ୍ଷା ମାତ୍ର ୧୩ ପ୍ରତିଶତ ଅଧିକ । ଡିଣ୍ଡିମ ପିଟୁଛନ୍ତି ସିନା କିନ୍ତୁ ଡବଲ ଇଂଜିନ ଡବଲ ଅନୁଦାନ ଦେଇନି ବୋଲି କଟାକ୍ଷ କରିଛନ୍ତି ଅମର । କେନ୍ଦ୍ରର ଓଡ଼ିଶାକୁ ବୈମାତୃକ ମନୋଭାବ ଜାରି ଅଛି । ୨୦ ସାଂସଦ, ୩ ମନ୍ତ୍ରୀ ଓ ଡବଲ ଇଂଜିନ ସରକାର ଥାଇ ବି ଓଡ଼ିଶା ହତାଶ । ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ ସେସବୁ କିଛି ମିଳିଲା ନାହିଁ । ଯାହାକି ଓଡ଼ିସାବାସୀଙ୍କୁ ଧୋକା ବୋଲି କହିଛନ୍ତି ଅମର ।