ରାଜ୍ୟର ସଫଳତାରେ ବିଜେପି ଇର୍ଷାନ୍ୱିତ ହେଉଥିବା ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା ବଦଳରେ ବିଜେପି ଇର୍ଷାନ୍ୱିତ ହେଉଛି । ଏଥିସହ ଯେଭଳି ହୀନ ରାଜନୀତି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାଦ୍ୱାରା ରାଜ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି । ବିଜେପି ସାମ୍ୱାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ସେ ଆହୁରୀ କହିଛନ୍ତି ଯେ, ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହିତ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ସରକାର ପୁରସ୍କୃତ ହୋଇଥିବାବେଳେ ବିଜେପି ଏଥିରେ ଅତ୍ୟନ୍ତ ଇର୍ଷାନ୍ୱିତ ।

ଦେଶର ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ଏଭଳି ପୁରସ୍କାର ପାଇନଥିବାରୁ ରାଜ୍ୟ ବିଜେପି ଏଥିରେ ଇର୍ଷାନ୍ୱିତ ହେଉଥିବା ଦଳୀୟ ମୁଖପାତ୍ରଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରିହୋଇ ପଡ଼ୁଥିବା ସେ କହିଛନ୍ତି । ଏଭଳି ପୁରସ୍କାର ଓଡିଶା ପାଇଁ ଗର୍ବ ଓ ଆମେ ସମସ୍ତେ ଓଡିଶାବାସୀ । ତେଣୁ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ସହିତ ବିଜେପି ମୁଖପାତ୍ରମାନେ ଶାଳୀନତା ରକ୍ଷାକରିବା ଆବଶ୍ୟକ ବୋଲି ସେ କହିଛନ୍ତି । ୱାର୍ଲ୍ଡ ହାବିଟାଟ୍ ୧୯୮୭ ମସିହାରୁ ସାରା ବିଶ୍ୱରେ ବାସହୀନଙ୍କ ପାଇଁ ବାସଗୃହ ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାକୁ ତର୍ଜମା କରି ଶ୍ରେଷ୍ଠ ବିବେଚିତ ଯୋଜନା ଗୁଡ଼ିକୁ ପୁରସ୍କୃତ କରିଥାଏ । ଯାହା ଏହି ସଂସ୍ଥାର ବିଶ୍ୱସନୀୟତାକୁ ଦର୍ଶାଏ । ଓଡିଶା ଭଲ କାମ କରିଥିବାରୁ ପୁରସ୍କାର ପାଇଛି । ହେଲେ ବିଜେପି ନେତାମାନଙ୍କ ସମାଲୋଚନା ସେମାନଙ୍କର ଇର୍ଷା, ହତାଶା ଓ ନିମ୍ନରୁଚିତର ରାଜନୀତିକୁ ଦର୍ଶାଉଛି ବୋଲି ବିଜେଡି ମୁଖପାତ୍ର ଲେନନ୍‌ ମହାନ୍ତି କହିଛନ୍ତି ।

ପୂର୍ବରୁ ପ୍ରେସମିଟ୍‌ କରି ‘ଜାଗା ମିଶନ’ ଏକ ବାହାସ୍ଫୋଟ ଏବଂ ଓ୍ୱାଲଡ୍‌ ହାବିଟାଟ୍‌ ପୁରସ୍କାରକୁ ପ୍ରୟୋଜିତ ବୋଲି କହିଛି ବିଜେପି ।

Leave a Reply