ସଂସଦରେ ବିଜେଡିର ସ୍ବର ଆହୁରି ହେବ ଶାଣିତ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ବିଜେଡିର ସ୍ବର ଆହୁରି ଶାଣିତ ହେବ । ଓଡ଼ିଶାର ହକ ପାଇଁ ଆବଶ୍ୟକ ପଡ଼ିଲେ ଗୃହରେ ଜୋରଦାର ପ୍ରତିବାଦ କରିବା ସହ ଗୃହ ମଧ୍ୟ ଭାଗକୁ ଆସି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭାର ୯ ଜଣ ସାଂସଦଙ୍କୁ ଗୁରୁମନ୍ତ୍ର ଦେବା ପରେ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ପାଇଁ ସାଂସଦମାନେ ପୂରାଦମରେ ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଲଗାତର ଯେଉଁ ଅନ୍ୟାୟ କରି ଚାଲିଛନ୍ତି ଏବଂ ଓଡ଼ିଶାବାସୀଙ୍କ ହକକୁ ଅଣଦେଖା କରିଛନ୍ତି ତାକୁ ନେଇ ଗୃହରେ ଗର୍ଜନ କରିବ ବିଜେଡି।
ଓଡ଼ିଶା ପ୍ରତି ଅନ୍ୟାୟ ହେଉଛି । ଆଉ ବରଦାସ୍ତ କରିବେନି ଓଡ଼ିଶାବାସୀ । ରାଜ୍ୟସଭାରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିବ ବିଜେଡି । ଗୃହରେ ବିରୋଧୀ ଦଳର ଭୂମିକା ତୁଲାଇବା ସହ ହକ ପାଇଁ ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ । ଗୁରୁବାରରୁ ସଂସଦ ଅଧିବେଶନ ଆରମ୍ଭ ହେଉଛି । ତା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ନେଇ ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ବୋଲି ସାଂସଦ ମୁନା ଖାଁ କହିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ କାହିଁକି ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା ଜାରି ରଖିଛନ୍ତି ଗୃହରେ ତାର ଜବାବ ମାଗିବ ବିଜେଡି।
ସ୍ବତନ୍ତ୍ର ରାଜ୍ୟପାହ୍ୟା, ଆବାସ ଘର, ଜାତୀୟ ରାଜପଥ, ଓଡ଼ିଶାର ପ୍ରତି ବ୍ଲକରେ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ, ସମ୍ବଲପୁର, କୋରାପୁଟ, ବାଲେଶ୍ବରରେ ଏମସ ପ୍ରତିଷ୍ଠା, ଆଇଟି ପାର୍କ, ହୋ, ମୁଣ୍ଡାରୀ ପରି ଭାଷାକୁ ଶାସ୍ତ୍ରୀ୍ୟ ଭାଷାର ମାନ୍ୟତା, ସବୁ ଜିଲ୍ଲାକୁ ରେଳ ସଂଯୋଗ, ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିବା, କେନ୍ଦୁପତ୍ରରୁ ଜିଏସଟି ଛାଡ କରିବା, କୋଇଲା ରୟାଲିଟି ସଂଶୋଧନ କରିବା, ମୋବାଇଲ ଟାଓ୍ବାର ବସାଇବା, ବାକି ଥିବା ଅର୍ଥ ଦେବା, ଅଧାପନ୍ତରିଆ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଶେଷ କରିବା ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ବିଜେଡି ଉଠାଇବ । ଏହାସହ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ତୁରନ୍ତ ଉଭୟ ବିଧାନସଭା ଓ ଲୋକସଭାରେ କାର୍ଯ୍ୟକାରୀ କରିବାକୁ ଦାବି କରିବ ବିଜେଡି ।
ରାଜ୍ୟରେ ବିଜେଡିର ୯ଜଣ ସାଂସଦ ଓଡ଼ିଶାବାସୀଙ୍କ ସ୍ବର ସାଜିବାକୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ଓ ଦେଶର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ବିତର୍କରେ ଭାଗନେଇ ବଳିଷ୍ଠ ଯୁକ୍ତି ବାଢିବାକୁ ସାଂସଦମାନେ ପ୍ରସ୍ତୁତ ରହିଛନ୍ତି