ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ: ସୁଲତା ଦେଓ

ଭୁବନେଶ୍ୱର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ ଏବଂ ଭିତ୍ତିହୀନ । ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କୁହନ୍ତି । ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ଏକ ପ୍ରେସ ବିବୃତିରେ ଶ୍ରୀମତି ଦେଓ କହିଛନ୍ତି ଯେ, ଅପରାଜିତା ମ୍ୟାଡମ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି । ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି ।

କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି । ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ତେଣୁ ସେ କମ୍ କଥା ଏବଂ କାମ ବେଶି କରନ୍ତି । ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି । ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ । ଓଡିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି । ସରକାର କୃଷି ଓ ଜଳସେଚନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିଛନ୍ତି ।

ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଜରିଆରେ ଓଡ଼ିଶାର ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟରେ ସାଢେ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି ବୋଲି ଶ୍ରୀମତି ଦେଓ କହିଛନ୍ତି  ।