ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

1 min read

ନୂଆଦିଲ୍ଲୀ: ରେଳ ବିକାଶ କ୍ଷେତ୍ରରେ ୭୫ ବର୍ଷ ହେଲା କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ଅଣଦେଖା କରିଚାଲିଛନ୍ତି । ସରକାର ଆସିଛି ଯାଇଛି ହେଲେ ଓଡ଼ିଶାର ଭାଗ୍ୟ ବଦଳିନି । ରେଳ ସଂଯୋଗୀକରଣ ନେଇ ସବୁବେଳେ ସବୁ ସରକାର ବୈମାତୃକ ମନୋଭାବ ପୋଷଣ କରିଆସିଛନ୍ତି । ରାଜ୍ୟ ସରକାର ରେଳବାଇକୁ ମାଗଣା ଜମି ପ୍ରଦାନ ସହ ୫୦ ପ୍ରତିଶତ ପ୍ରକଳ୍ପ ଖର୍ଚ୍ଚ ବହନ କରିଆସୁଛନ୍ତି ।

ହେଲେ ରେଳବାଇ କିନ୍ତୁ ରାଜ୍ୟ ପ୍ରତି ଚରମଉଦାସୀନତା ପ୍ରଦର୍ଶନ କରିଆସୁଛି । ତାର ବଡ଼ ଉଦାହରଣ ହେଲା ପାରାଦୀପ-ହରିଦାସପୁର ରେଳ ଲାଇନ । ଏହି ଟ୍ରାକରେ ମାଲ ପରିବହନ ହେଉଥିବାବେଳେ ଯାତ୍ରୀ ପରିବହନ ସୁବିଧା ଆରମ୍ଭ ହୋଇପାରୁନି । ଯାତ୍ରୀ ପରିବହନ ହେଲେ ଏହି ରେଳ ଲାଇନ କେନ୍ଦ୍ରାପଡ଼ାକୁ ଦେଶର ରେଳ ମାନଚିତ୍ରରେ ଯୋଡିପାରନ୍ତା ।

କିନ୍ତୁ ଏଥିପ୍ରତି ରେଳବାଇ ଦୃଷ୍ଟି ଦେଉନି ବୋଲି ଅଭିଯୋଗ କରିଛି ବିଜେଡି । ତେଣୁ ତୁରନ୍ତ ପାରାଦୀପ-ହରିଦାସପୁରରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ବିଜେଡି ସଂସଦୀୟ ଦଳ ଦାବି କରିବା ସହ ରେଳ ମନ୍ତ୍ରୀ ଅଶିନୀ ବୈଷ୍ଣବଙ୍କୁ ଭେଟି ଦାବି ପତ୍ର ଦେଇଛି । ଏହି ଟ୍ରାକରେ ଯାତ୍ରୀ ସେବା ଉପଲବ୍ଧ ହେଲେ କେନ୍ଦ୍ରାପଡ଼ାବାସୀ ସ୍ବାଧୀନତାର ୭୫ ବର୍ଷ ପରେ ସୁବିଧା ପାଇପାରିବେ ।