ଓଟିଟିରେ ଡିଜିଟାଲ ଜାଲିଆତିକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ, ରାଜ୍ୟସଭାରେ ଉଠାଇଲେ ପ୍ରଶ୍ନ

1 min read

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତି ବା ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ । ଏକ ଲିଖିତ ପ୍ରଶ୍ନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ପଚାରିଥିଲେ- ଓଟିଟି ପ୍ଲାଟଫର୍ମର ବ୍ୟବହାର ନେଇ ଯୁବଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ?

ମାନସଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ କହିଛନ୍ତି, ଓଟିଟି ଓ ଡିଜିଟାଲ ପ୍ଲାଟଫର୍ମର କଣ୍ଟେଣ୍ଟ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଏହି ଆଇନରେ ଡିଜିଟାଲ ମିଡିଆ ପାଇଁ ଏକ କୋଡ ଅଫ୍ ଏଥିକ୍ସ ରହିଛି । ଆଇନତଃ ଯେଉଁ କଣ୍ଟେଣ୍ଟଗୁଡିକ ପ୍ରକାଶ କରାଯିବା ଉଚିତ ନୁହେଁ, ତାହାକୁ ଏହି କୋଡ ଅଫ୍ ଏଥିକ୍ସ ଦ୍ବାରା ନିୟନ୍ତ୍ରିତ କରାଯାଇଥାଏ । ଏଥିରେ ବୟସ ଅନୁଯାୟୀ ବର୍ଗୀକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିଶୁମାନେ କିଭଳି ବର୍ଜିତ କଣ୍ଟେଣ୍ଟ ଆକ୍ସସେସ କରିପାରିବେ ନାହିଁ ସେନେଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି ।