ବିଧାନସଭାରେ ପ୍ରଥମ ଦିନରୁ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ନବୀନଙ୍କ ଲଢ଼େଇ ଆରମ୍ଭ

ଭୁବନେଶ୍ବର: ବିରୋଧୀ ଦଳ ନେତା ଭାବେ ବିଧାନସଭାର ପ୍ରଥମ ଦିନରୁ ହିଁ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଲଢେଇ ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ପ୍ରତିବାଦ କରି ଗୃହ ପରିତ୍ୟାଗ କରିଥିଲା ବିଜେଡି । ନିଜେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କିପରି ସତସାହସ ଦେଖାଇ ଆଇନ ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ, ସେ କଥା ସରକାରଙ୍କୁ ମନେ ପକାଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଟାର୍ଗେଟ୍ କରିଛନ୍ତି ନବୀନ ।

ପ୍ରଥମ ଥର ବିରୋଧୀ ଦଳ ନେତା ଭୂମିକାରେ ନବୀନ ପଟ୍ଟନାୟକ । ଓଡ଼ିଆ ଅସ୍ମିତା ସଂଗ୍ରାମ ଜାରି ରଖି ଆକ୍ସନ ମୋଡରେ ନବୀନ । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ହିଁ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ଆରମ୍ଭରୁ ହିଁ ତାଙ୍କ ପୁଅଙ୍କ ନିର୍ଯାତନା ପ୍ରସଙ୍ଗ ଉଠାଇଥିଲେ ନବୀନ । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଗତ ଜୁଲାଇ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସାଙ୍ଗ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବୈକୁଣ୍ଠଙ୍କ ପତ୍ନୀ ବି ନ୍ୟାୟ ସହ ପରିବାରର ସୁରକ୍ଷା ପାଇଁ କାନ୍ଦି କାନ୍ଦି ଗୁହାରୀ କଲେ । ହେଲେ ୭ ଦିନ ସମୟ ନେଇ ଘଟଣାକୁ ରାଜ୍ୟପାଳ ଏଡ଼ାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା । ଯେଉଁ ଓଡ଼ିଆ ଅସ୍ମିତାକୁ ଢାଲ କରି ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି ସରକାର, ଏ ଦିଗରେ ତାଙ୍କ କାର୍ଯ୍ୟାନୁଷ୍ଠାନ ଶୂନ । ଏହାର ପ୍ରତିବାଦରେ ରାଜ୍ୟପାଳଙ୍କ ଅଭିଭାଷଣ ସାଙ୍ଗକୁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଗୃହ ପରିତ୍ୟାଗ କରିଥିଲା ବିଜୁ ଜନତା ଦଳ । ଏହି ପ୍ରସଙ୍ଗରେ ରାଜ୍ୟରେ ବିଗିଡୁଥିବା ଆଇନଶୃଙ୍ଖଳାକୁ ସମାଲୋଚନା କରିଛନ୍ତି ନବୀନ । ଏଥିସହ ନିଜେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆଇନ ଭଙ୍ଗ କରୁଥିବା ବିଧାୟକ, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଯେପରି କାର୍ଯ୍ୟାନୁଷ୍ଠାନ ନେଉଥିଲେ, ତାକୁ ରାଜ୍ୟ ସରକାରଙ୍କୁ ମନେ ପକାଇ ଦେଇଛନ୍ତି ନବୀନ ।

ବିଧାନସଭାରେ ଶୁଣିବାକୁ ମିଳିଥିଲା ଆଜି ଗୋଟିଏ ସ୍ବର । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକୁ ଶାଣିତ କରିଛି ବିଜେଡି । ଏହି ଘଟଣା କେବଳ କେସ୍ ଡାଏରୀ ହୋଇ ରହିଗଲା ସିନା, କୌଣସି ପଦକ୍ଷେପ ନିଆଗଲା ନାହିଁ । ପ୍ରତିବଦଳରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ବଦଳି କରାଗଲା । ଏହି ପ୍ରସଙ୍ଗରେ ବିଜେଡି, ଶାସକ ବିଜେପି ସରକାରଙ୍କ ତଥାକଥିତ ଓଡ଼ିଆ ଅସ୍ମିତା ପ୍ରୀତିକୁ ଟାର୍ଗେଟ କରିଛି ।

ବିଜେଡି ସରକାରରେ ଆଇନ ଉଲଂଘନକାରୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଥିଲା, ସେକଥା ମନେ ପକାଇ ଦେଇଛନ୍ତି ନବୀନ । ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ପଠାଇବାକୁ ପଛଘୁଞ୍ଚା ଦେଇ ନଥିଲେ ନବୀନ । ପଞ୍ଚମ ପାଳିରେ ତତ୍କାଳୀନ ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ ମେହେର ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଜେଲ୍ ଯାଇଥିଲେ । ଏମିତି କିଛି ଉଦାହାରଣ ସହ ଆଇନକୁ ସମ୍ମାନ ଦେଇ ପାର୍ଟିକୁ ପଛରେ ପକାଇ କାର୍ଯ୍ୟାନୁଷ୍ଠାନ ନେବାର ଦକ୍ଷତା ରଖିଥିଲେ ନବୀନ ପଟ୍ଟନାୟକ ।

କେବଳ ବିଜେଡି ନୁହେଁ, ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ବିଧାୟକମାନେ ରାଜ୍ଯପାଳଙ୍କୁ ବିରୋଧ କରିଛି । ରାଜ୍ଯପାଳ ରଘୁବର ଦାସଙ୍କୁ ଗୋବ୍ଯାକ ନାରା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ବିଜେପି ଅସ୍ମିତା କଥା କହି ସରକାରକୁ ଆସିଛି । ହେଲେ, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡ଼େଇବା ପରେ ବି ତଦନ୍ତ ହେଉନି । ଏହା କି ପ୍ରକାରର ଅସ୍ମିତା । ଓଡ଼ିଆ ଅସ୍ମିତା କଥା କହି ରାଜ୍ୟପାଳ ଗୃହକୁ ଆସି ହିନ୍ଦୀରେ ଅଭିଭାଷଣ ଦେଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଆଗକୁ ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ଆମ ସମସ୍ତଙ୍କ ପାଇଁ ଆହ୍ବାନ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ତାରା କହିଛନ୍ତି । ପ୍ରତିବାଦରେ କଂଗ୍ରେସ ସଦସ୍ଯ ମଧ୍ଯ ଗୃହ ତ୍ଯାଗ କରିଥିଲେ ।