ପୁଣି ଗୃହରେ ଉଠିଲା ସ୍ବତନ୍ତ୍ର ରାଜ୍ଯ ପାହ୍ଯା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ଅରୁଣ ସାହୁ । ଶୂନ୍ଯକାଳରେ ଓଡ଼ିଶାର ହକ୍ ପ୍ରସଙ୍ଗ ଉଠାଇ ରାଜ୍ଯ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ନୀତି ଆୟୋଗ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କଣ ଦାବି କଲେ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ସ୍ୱତନ୍ତ୍ର ଫୋକସ ଷ୍ଟେଟ ନା ସ୍ୱତନ୍ତ୍ର ଆବଣ୍ଟନ, କଣ ଦାବି ରଖିଲେ ? କାରଣ ବିଜେପିର ୨୦୧୪ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶୃତି ଥିଲା । ଯାହା ପରବର୍ତ୍ତୀ ସମୟରେ ଏହାକୁ ହଟାଇ ଦେଇଥିଲା ଦଳ । ଏବେ ନୂଆ ସ୍ୱତନ୍ତ୍ର ଆବଣ୍ଟନର ଯୁଗ ଆସିଛି । ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି । ଏପରି ସ୍ଥିତିରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନା ସ୍ୱତନ୍ତ୍ର ଫୋକସ ଷ୍ଟେଟ ନା ସ୍ୱତନ୍ତ୍ର ଆବଣ୍ଟନ ମଗା ଯାଇଛି ତାହା ଗୃହରେ ସ୍ପଷ୍ଟ କରିବାକୁ ଅରୁଣ ସାହୁ ଦାବି କରିଛନ୍ତି ।

ସେପଟେ ସେହି ଶୂନ୍ଯକାଳରେ ସମାନ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନା ସ୍ୱତନ୍ତ୍ର ଫୋକସ ନା ସ୍ୱତନ୍ତ୍ର ପ୍ୟାକେଜ ଦାବି ହୋଇଛି ତାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ସେ ଦାବି କରିଥିଲେ । ଓଡ଼ିଶା ଏକ ଆଦିବାସୀ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ବିଜେପି ୨୦୧୪ ଦଳୀୟ ଇସ୍ତାହାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା କହିଥିଲା ।ଏବେ କଣ ଦାବି ରଖିଛନ୍ତି ମୁଖ୍ଯମନ୍ତ୍ରୀ ବୋଲି ପ୍ରଶ୍ନ କରିଥିଲେ ରାମଚନ୍ଦ୍ର । ଏହାସହ ପୋଲାଭରମ ପ୍ରସଙ୍ଗରେ କଣ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ଗୃହରେ ପ୍ରକାଶ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।