ଶଙ୍ଖଭବନରେ ବିଜେଡି ରାଜ୍ୟ ପରିଷଦ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ପୁଣିଥରେ ବିଜେଡିର ମଙ୍ଗ ଧରିବେ ନବୀନ ପଟ୍ଟନାୟକ ।  ନବମ ଥର ଲାଗି ବିଜେଡି ସଭାପତି ହେବେ ନବୀନ । ସର୍ବସମ୍ମତି କ୍ରମେ ଆଜି କରାଯିବ ଘୋଷଣା  । ନୂଆରୂପ ନେବ ଦଳୀୟ ସଙ୍ଗଠନ  । ସେନେଇ ଆଜି ବସିବ ରାଜ୍ୟ ପରିଷଦ ବୈଠକ । ଏହି ବୈଠକରେ ଯୋଗ ଦେବା ପାଇଁ ଶଙ୍ଖଭବନକୁ ଦଳୀୟ ନେତା ଓ କର୍ମୀଙ୍କ ସୁଅ ଛୁଟୁଛି । ଓଡ଼ିଶାବାସୀଙ୍କ ସେବା ଏବଂ ହକର ଲଢ଼େଇ ପାଇଁ ଏକାଠି ହେଇଛନ୍ତି ବିଜେଡି କର୍ମୀ । ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ଦିଆଯିବ ନୂଆରୂପ। ନବୀନ ପଟ୍ଟନାୟକ ନବମ ଥର ଭାବେ ବିଜେଡି ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ଦଳକୁ ସଶକ୍ତ କରିବା ସହ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଲୋକେ ଏକାଠି ହେଲେଣି ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରତାପ ଜେନା। ବିଜେଡିର ୩୩ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ସଭାପତି ନିର୍ବାଚନ ଶେଷ ହୋଇଛି।