ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ବିଜେଡି

1 min read
BJD Leader Pranab Prakash Das's Counter To Dharmendra Pradhan

ଭୁବନେଶ୍ୱର: ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ସଂରକ୍ଷଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବି ଯାଇପାରେ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡି ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯିବ । ସମାନ ବ୍ୟବସ୍ଥା ବିଜେପିରେ ଲାଗୁ କରିବା ପାଇଁ ଅପିଲ୍ କରିଛନ୍ତି ପ୍ରଣବ ପ୍ରକାଶ ।

ଏହି ପ୍ରସଙ୍ଗକୁ ନେଇ ରାଜନୀତି ନକରି ନିର୍ବାଚନରେ ଓବିସିଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ସଂରକ୍ଷଣ ଦେବାକୁ ମିଳିତ ଲଢ଼େଇ ପାଇଁ ସେ ନିବେଦନ କରିଛନ୍ତି। ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ଷ ବର୍ଷ ଧରି ସେଠାରେ ବିଜେପି କ୍ଷମତାରେ ରହିଛି । ତେବେ ମଧ୍ୟପ୍ରଦେଶରେ କାହିଁକି ଓବିସିଙ୍କୁ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି, ସେନେଇ ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ । ଏଥିସହ ଓବିସି ସଶକ୍ତିକରଣ ପାଇଁ ଧର୍ମେନ୍ଦ୍ର ସହଯୋଗର ହାତ ବଢାଇବେ ବୋଲି ପ୍ରଣବ ଆଶା ପ୍ରକାଶ କରିଛନ୍ତି ।

କେନ୍ଦ୍ରରେ ବିଜେପି ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି । ତଥାପି ବିଜେପି ଓବିସି ସଂରକ୍ଷଣକୁ ପ୍ରାଥମିକତା ଦେଇନାହିଁ ଏହାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଓବିସିଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ, ବିଜେପି ଖାଲି ତୁଚ୍ଛା ରାଜନୀତି କରୁଛି ବୋଲି ପ୍ରଣବ କହିଛନ୍ତି । ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ପାଇଁ ଡରୁଛନ୍ତି ଆମେ ଓଡ଼ିଶାରେ ଭୋଟ୍ କରିବୁ । ୪୦ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେବ ।

Leave a Reply