ଶଙ୍ଖ ଭବନରେ ନେତାଙ୍କ ଭିଡ଼, କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିଧାୟକ ଦଳ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ଜମୁଛି ନେତାଙ୍କ ଭିଡ଼। ବିଜେଡି ନେତା, କର୍ମୀ ଏବଂ ବିଧାୟକମାନେ ଭିଡ଼ ଜମାଇଛନ୍ତି । ଆଜି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ବିଧାୟକମାନେ ଆସି ଶଙ୍ଖ ଭବନରେ ପହଞ୍ଚୁଛନ୍ତି । ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଶଙ୍ଖ ଭବନରେ ବୈଠକ ଆରମ୍ଭ ହେବ । ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବାକୁ  ବିଜେଡିର ଅଧିକାଂଶ ନବ ନିର୍ବାଚିତ ବିଧାୟକ ପ୍ରସ୍ତାବ ଦେଇଛନ୍ତି । ୨୪ ବର୍ଷ ଧରି ଓଡ଼ିଶାର ନେତୃ୍ତ୍ବ ନେଇ ନବୀନ ବିକାଶ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ । ନବୀନ ପଟ୍ଟନାୟକ ବିଜେଡିର ସବୋର୍ଚ୍ଚ ନେତା ଥିଲେ, ଅଛନ୍ତି ଓ ରହିବେ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ନବୀନ ହିଁ ଗୃହର ନେତାଭାବେ ନିର୍ବାଚିତ ହେବେ ବୋଲି ଦଳୀୟ ନେତା କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ  ହୋଇଛି । ସନ୍ଧ୍ଯାରେ କଂଗ୍ରେସର ବିଧାୟକ ଦଳ ବସିବ । ପିସିସି ସଭାପତିଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ବଛାଯିବା ନେଇ ସୂଚନା ରହିଛି ।