ଏମ୍ସରେ ହିନ୍ଦୀ ଭାଷା କାର୍ଯ୍ୟକାରିତାକୁ ବିରୋଧ, ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷା କାର୍ଯ୍ୟକାରିତାକୁ ବିଜେଡିର ବିରୋଧ । ଏମ୍ସ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଲା ବିଜେଡି । ଦଳର ସାଂସଦ ଓ ବିଧାୟକମାନେ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଅଧିକାଂଶ ଲୋକ ଓଡ଼ିଆ । ଯେଉଁମାନେ ଓଡ଼ିଆ କୁହନ୍ତି ଓ ବୁଝନ୍ତି । ତେଣୁ, ଏମ୍ସର ସବୁ କାର୍ଯ୍ୟ ଓଡ଼ିଆରେ କରିବାକୁ ବିଜେଡି ସାଂସଦ ଓ ବିଧାୟକମାନେ ଦାବି କରିଛନ୍ତି ।ହିନ୍ଦୀ ଭାଷାରେ ଭୁବନେଶ୍ୱର ଏମ୍ସର ସମସ୍ତ ପ୍ରଶାସନିକ କାର୍ଯ୍ୟ ଓ ଆଲୋଚନା କରିବାକୁ ଗତ ୨୦ ତାରିଖରେ ନୋଟିସ୍ ପ୍ରକାଶ ପାଇଥିଲା । ଯାହାକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ହିନ୍ଦୀକୁ ଜୋରଜବରଦସ୍ତ ଓଡ଼ିଆ ଲୋକଙ୍କୁ ଉପରେ ଲଦି ଦିଆଯାଉଥିବା ଦଳ ଅଭିଯୋଗ କରିଛି । ଦଳ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛି ।ତୁରନ୍ତ ନୋଟିସକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏଥିସହ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ହେଲେ ଲୋକ ଚିକିତ୍ସା ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି ।

ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି

Leave a Reply