ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶନାମା ବିରୋଧରେ କେନ୍ଦ୍ରକୁ ଅବଗତ କରାଇବ ବିଜେଡି

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ବା ଏମ୍ସର ହିନ୍ଦୀ ଭାଷା ପ୍ରେମକୁ ନେଇ ଖପ୍ପା ବିଜୁ ଜନତା ଦଳର ନେତା । ସିଧା ସିଧା ଏମ୍ସର ନିର୍ଦ୍ଦେଶାବଳୀକୁ ବିରୋଧ କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର ଏମ୍ସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି ।

କହିଛନ୍ତି, ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟର ଗଠନ ହୋଇଥିଲା । ଆମେ କାହାକୁ ଆମର ମାତୃଭାଷାକୁ କୋଣଠେସା କରିବାକୁ ଦେବୁନାହିଁ । ବିଶେଷକରି ଯେଉଁସଂସ୍ଥା ଓ ଅନୁଷ୍ଠାନ ଓଡ଼ିଶାରେ କାର୍ଯ୍ୟକରୁଛନ୍ତି ସେମାନଙ୍କୁ ତ ଆଦୌ ଏଭଳି କରିବାକୁ ଦିଆଯିବ ନାହିଁ । ହିନ୍ଦୀ ବଦଳରେ ଓଡ଼ିଆ ବ୍ୟବହାର କରିବାକୁ ସେ ଦାବି କରିଛନ୍ତି କାରଣ ଏହା ଲୋକଙ୍କୁ ଏବଂ ଏମ୍ସରେ ରୋଗୀଙ୍କୁ ବୁଝିବାରେ ଓ କାର୍ଯ୍ୟ କରିବାରେ ସହଜ ହେବ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏ ସଂପର୍କରେ ଅବଗତ କରାଯାଇ ବିଜେଡି ତାର ବିରୋଧ ଜାରି ରଖିବ ଏବଂ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିବାକୁ ପଦକ୍ଷେପ ନେବ  ।

ଗତ ୨୦ ତାରିଖରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ନିର୍ଦ୍ଦେଶ ରହିଥିଲା ଯେ, ଏମ୍ସର ସମସ୍ତ ଫ୍ୟାକଲ୍ଟି ଓ ଷ୍ଟାଫ୍ ହିନ୍ଦୀ ଭାଷାରେ କାର୍ଯ୍ୟ କରିବେ । ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ବାଧ୍ୟତାମୂଳକ । ସବୁ ଫାଇଲରେ ହିନ୍ଦୀରେ ବିଷୟ ଲେଖିବା, ରେଜିଷ୍ଟରରେ ନାଁ ଓ ସବ୍ ହେଡିଂ ହିନ୍ଦୀରେ ଲେଖିବା, ନୋଟିଂ ଓ ଡ୍ରାଫ୍ଟିଂ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ ହିନ୍ଦୀରେ କରିବା, ସମସ୍ତ ଚିଠିର ଉତ୍ତର ହିନ୍ଦୀରେ ଦେବା ପ୍ରଭୁତି ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ବିଜେଡି ବିରୋଧ କରିବା ସହ ସାଂସଦ ପିନାକୀ ମିଶ୍ର ଆପତ୍ତି ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

Leave a Reply