ପୁଣି ନବୀନଙ୍କ ହାତରେ ମଙ୍ଗ, ନବମ ଥର ହେବେ ସଭାପତି

ଭୁବନେଶ୍ବର : ନବମ ଥର ସଭାପତି ହେବେ ନବୀନ । ସଶକ୍ତ ହେବ ବିଜେଡି, ଲଢେଇ ହେବ ଆରପାର । ୧୬ରୁ ଅଧିକ ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଶେଷ ପର୍ଯ୍ୟାୟରେ ସାଂଗଠନିକ ନିର୍ବାଚନ, ଉତ୍ସାହିତ କର୍ମୀ । ପୁଣିଥରେ ବିଜେଡିର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରେ ନବମ ଇଂନିସ ଆରମ୍ଭ କରିବେ ନବୀନ ଓଡି଼ଶାର ନୂଆ ବିନ୍ଧାଣୀ । ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ଉତ୍ସାହିତ । କାରଣ ୩ମାସ ଧରି ଚାଲିଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୬ରୁ ଅଧିକ ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ତୃଣମୂଳସ୍ତରେ ବିଜେଡି ସଂଗଠନ ନୂଆରୂପ ନେବା ସହ ସଶକ୍ତ ହୋଇଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ପୁଣିଥରେ ନବୀନଙ୍କ ନେତୃତ୍ବରେ ବିଜେଡି ଶକ୍ତିଶାଳୀ ହେବା ସହ ଓଡିଶାର ବିକାଶ ଓ  ସ୍ବାଭିମାନ ପାଇଁ ଲଢେଇ ଜାରି ରଖିବ । ଆଗକୁ ପଂଚାୟଚ ଓ ପୌର ନିର୍ବାଚନ । ଦଳ ପୁଣିଥରେ ବଡ଼ ବିଜୟଲାଭ କରିବ ବୋଲି ନେତା କହିଛନ୍ତି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଓଡିଶାବାସୀଙ୍କ ସେବା କରୁଛି । ତୃଣମୂଳସ୍ତରରୁ ରାଜ୍ୟ ନେତୃତ୍ବ ଯାଏ ସଂଗଠନ ନୂଆରୂପ ନେଇଛି । ବିଜେଡି ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାର ହକ ଓ ସ୍ବାଭିମାନ ପାଇଁ ଲଢେଇ କରୁଛି । ଆଗକୁ ଗାଁ ଗାଁରେ ଏହି ଲଢେଇକୁ ଜୋରଦାର କରିବାକୁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରିବ ଦଳ । ନବୀନ ପଟ୍ଟନାୟକ ନବମ ଥର ବିଜେଡି ସୁପ୍ରିମୋ ହେବା ପରେ ନବୀନଙ୍କ ଟିମରେ କିଏ ସ୍ଥାନ ପାଇବେ ତାହାକୁ ନେଇ ମଧ୍ୟ ବିଜେଡି ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେଡି ସାଂଗଠନିକ ନିର୍ବାଚନକୁ ନେଇ ତୃଣମୂଳସ୍ତରରେ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ହୋଇଛନ୍ତି ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ବିଜେଡିର ସାଂଗଠନିକ ନିର୍ବାଚନ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୯ ତାରିଖ ଦିନ ନବୀନ ପଟ୍ଟନାୟକ ପୁଣିଥରେ ସଭାପତି ଭାବେ ନିର୍ବାଚିତ ହେବେ । ରାଜ୍ୟ ସଭାପତିଙ୍କ ଅନୁମୋଦନ ପରେ ବିଜେଡିର ଛାମୁଆ ସଂଗଠନ ମହିଳା, ଯୁବ, ଛାତ୍ର , ସଭାପତି ଚୟନ କରାଯିବ ।