ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପଚାରିଲା ଜଣଙ୍କୁ ମନା କରି ଆଉ ଜଣଙ୍କୁ ଅନୁମତି କାହିଁକି ?

1 min read

ଭୁବନେଶ୍ବର: ଖଣ୍ଡଗିରି-ଉଦୟଗିରି ମହୋତ୍ସବ ପାଇଁ ଖଣ୍ଡିଗିରି ପାନ୍ଥିକା ପରିସରରେ ସାଂସ୍କୃତିକ ପରିଷଦ ସ୍ଥାନ ଦେବାକୁ ମନା କରି ଖାରବେଳ ନାମକ ଅନୁଷ୍ଠାନକୁ ଦିଆଯିବାକୁ ବିରୋଧ । ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ଏଥିରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟ ଦଳୀୟ ନେତା ବି ସାମିଲ ଥିଲେ ।

ସୂଚନାଯୋଗ୍ୟ, ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ୭ରୁ ୮ ବର୍ଷ ହେବ ଖଣ୍ଡିଗିରି ପାନ୍ଥିକା ପରିସରରେ ହୋଇ ଆସୁଛି । ଏଥର ମହୋତ୍ସବ ପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ନିକଟରେ ଜାନୁଆରୀ ୩ରେ ଆବେଦନ କରାଯାଇଥିଲା । କିନ୍ତୁ ଫେବୃଆରୀ ୩ ଅର୍ଥାତ ମାସେ ପରେ ଜଣାଗଲା ସେଠି ଖଣ୍ଡଗିରି ମେଳା ପାଇଁ ଅନ୍ୟାନ୍ୟ ଅଫିସ ହେବ । କିନ୍ତୁ ଏବେ ଜାଣିବାକୁ ମିଳିଛି ଖାରବେଳଙ୍କ ନାମରେ ଆଉ ଏକ ସଂସ୍ଥା ସେଠି ଉତ୍ସବ କରିବାକୁ କାର୍ଯ୍ୟ ଆରମ୍ଭ କରିଛି ।

ଯଦି ଭୁବନେଶ୍ୱର ସାଂସ୍କୃତିକ ପରିଷଦକୁ ମନା କରାଗଲା ତା’ହେଲେ ସେହି ଅନୁଷ୍ଠାନକୁ କେମିତି ଅନୁମତି ଦିଆଗଲା ବୋଲି ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛି ବିଜେଡି । ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ଯ ଏଥିପ୍ରତି ଆଖି ବନ୍ଦ କରିଦେଇଛି । ଏଠି ଆଇନର ଶାସନ ଅଛି, ଠେଙ୍ଗାର ଶାସନ ନାହିଁ । ତେଣୁ ଆଇନ ସମ୍ମତ ଢଙ୍ଗରେ ଏହା ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ।

ସେହିପରି ରାଜନୈତିକ ଉଦ୍ଦେଶ୍ଯ ରଖି ଏଭଳି କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା । ଏହା କଳା ସଂସ୍କୃତି ଉପରେ ଆକ୍ରମଣ । ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଭେଟିବା ପରେ ବିଏମସି କମିଶନରଙ୍କୁ ମଧ୍ୟ ଭେଟି ବିଜେଡି ଅଭିଯୋଗ କରିଛି । ଅନ୍ଯପଟେ ବିଜେଡିର ଅଭିଯୋଗ ପରେ ପର୍ଯ୍ୟଟନ ନିର୍ଦ୍ଦେଶକ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।