ବଜେଟକୁ ନେଇ ମୋହନ ସରକାରଙ୍କୁ ବିଜେଡିର କଟୁ ସମାଲୋଚନା

1 min read

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ବିଧାନସଭାରେ ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ତେବେ ବଜେଟରେ ରାଜ୍ୟର ବିକାଶ ହେବା ଭଳି କିଛି ନଥିବା କହି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସମାଲୋଚନା କରିଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବଜେଟକୁ ନେଇ କାଠଗଡ଼ାରେ ଛିଡ଼ା କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି, ରାଜ୍ୟରେ ବିଜେପି ସରକାର ଅସ୍ମିତା ଭବନ ଲାଗି ୨ ଶହ କୋଟି ବ୍ୟୟବରାଦ କରିଛନ୍ତି । ତେବେ ଏହାର ସୁରକ୍ଷା ପାଇଁ କୌଣସି ଯୋଜନା ନାହିଁ । ଅଣଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ଏ ଯୋଜନା ।

ସୁଭଦ୍ରା ଯୋଜନା କଥା ଉଠାଇ ଦଳ କହିଛି, ବିଜେପି କହିଥିଲା ଓଡ଼ିଶାର ପ୍ରତ୍ଯେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । କିନ୍ତୁ ଏବେ କହୁଛନ୍ତି ୫୦ ହଜାର ଟଙ୍କାର କୁପନ ମିଳିବ । ଏଥିରୁ ୨୦ ଲକ୍ଷ ମହିଳା ଉପକୃତ ହେବେ । କିନ୍ତୁ ରାଜ୍ୟରେ ଅଛନ୍ତି ୧ କୋଟିରୁ ଅଧିକ ମହିଳା । ୩୦୦ ୟୁନିଟ ବିଜୁଳି ଫ୍ରି ଦେବେ ବୋଲି ବିଜେପିର ବଡ଼ ନେତା କହିଥିଲେ । ବଜେଟରେ କିନ୍ତୁ ଏ ନେଇ କିଛି ନାହିଁ ।

ମିଳୁଥିବା ପେନସନ ବଢ଼ାଇ ୩ ହଜାର କରିବେ ବୋଲି କହିଥିଲେ । କିନ୍ତୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଦେବ ବୋଲି କହୁଛନ୍ତି । ଏହାଦ୍ବାରା ୮୦ ଭାଗ ହିତାଧିକାରୀଙ୍କୁ ଠକି ଦେଲ ସରକାର । ୮୦ ପ୍ରତିଶତରୁ ଅଧିକ ବିକଳାଙ୍ଗଙ୍କୁ ଦେବେ ୩୫୦୦ ଟଙ୍କା । ତେଣୁ ମିଛ କଥା କହିଛନ୍ତି ସରକାର ।

ବିଜେଡି ପକ୍ଷରୁ କୁହାଯାଇଛି, ଏହି ବଜେଟ ଦୂରଦୃଷ୍ଟି ବିହୀନ । ମହିଳା, ଯୁବକଙ୍କ ପାଇଁ ସ୍ବାବଲମୀ ହେବାର ରୂପରେଖ ନାହିଁ । ମହିଳାଙ୍କ ସୁରକ୍ଷା ପାଇଁ କିଛି ବ୍ଯବସ୍ଥା ନାହିଁ । ଶିଳ୍ପ ବା ଅର୍ଥନୈତିକ କାର୍ଯ୍ୟକଳାପ, ସର୍ଭିସ ଇଣ୍ଡଷ୍ଟ୍ରି ପାଇଁ ବି କିଛି ନାହିଁ । ଅର୍ଥନୀତି ବଢ଼ାଇବାକୁ ଏହି ବଜେଟରେ କିଛି ନାହିଁ । ଖାଲି କ୍ଷମତାକୁ ଆସିବା ପାଇଁ ମିଛ ସତ କହି ଜାଣିଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ବଜେଟ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଡବଲ୍ ଇଞ୍ଜିନ କହୁଥିଲେ, ଡବଲ ଫେଲ୍ଯୁୟର ହେଲା । ଏହି ବଜେଟର ଅନ୍ତଃସାର ଶୂନ୍ଯ ବଜେଟ । ମୁଖ୍ଯମନ୍ତ୍ରୀ କହିଲେ- ଏହି ବଜେଟ ଗତ ବଜେଟ ଅପେକ୍ଷା ୧୫ ପ୍ରତିଶତ ଅଧିକ । ୨ ଲକ୍ଷ ୬୫ ହଜାର କୋଟିର ବଜେଟ । ଲୋକଙ୍କୁ ମତିଭ୍ରମ କରାଇବାର ପର୍ଦ୍ଦାଫାସ ହେଲା । ମାତ୍ର ୨ ଲକ୍ଷ ୫୮ ହଜାର କୋଟି ଟଙ୍କାର ବଜେଟ । ଗତବର୍ଷ ବଜେଟ ତୁଳନାରେ ମାତ୍ର ୭ ହଜାର କୋଟି ଟଙ୍କା ଅର୍ଥାତ ୨.୭୧ ପ୍ରତିଶତ ଅଧିକ । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ।