ସୁପ୍ରିମକୋର୍ଟଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବୟାନକୁ ବିଜେଡିର ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଜେଡି ନିଜର ମତ ରଖିଛି । ଦଳ ପକ୍ଷରୁ ବିଜେପି ସାଂସଦଙ୍କ ବୟାନକୁ ନିନ୍ଦା କରାଯାଇଛି । ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସମ୍ବିଧାନ ସବୁଠାରୁ ଉପରେ। ତା’ଉପରେ ସୁପ୍ରିମ କୋର୍ଟ ନୁହେଁ କି ସଂସଦ ନୁହେଁ । ସମସ୍ତେ ସମ୍ଵିଧାନ ଅନୁସାରେ ପରିଚାଳିତ ହୁଅନ୍ତି । ଆଇନ ଓ ସମ୍ବିଧାନର ଇଣ୍ଟରପ୍ରିଟର ହେଉଛନ୍ତି ସୁପ୍ରିମକୋର୍ଟ । ତାଙ୍କ ନିର୍ଦ୍ଦେଶକୁ ସମସ୍ତେ ଗ୍ରହଣ କରନ୍ତି ।
ସୁପ୍ରିମକୋର୍ଟ ଓ ଏହାର ବିଚାରପତି ସାମ୍ପ୍ରଦାୟିକ ଦଙ୍ଗା କରାଯାଉଛନ୍ତି ବୋଲି ବିଜେପି ସାଂସଦ କହିବା ସମ୍ବିଧାନ ଓ ସୁପ୍ରିମକୋର୍ଟ ପ୍ରତି ଅମର୍ଯ୍ୟାଦା । ଏହା ଗଣତନ୍ତ୍ର ବିରୋଧୀ । ଏହାକୁ ଆମେ ନିନ୍ଦା କରୁଛୁ । ଏ ଯାଏଁ ବୁଝି ହେଉନି ବିଜେପି ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି । ଯଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଦଳର ମତ ନୁହେଁ ବୋଲି କହିଲେ, ତେବେ ଦଳ ଉପରେ କେମିତି ସାଂସଦ ଏପରି କହିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।