କାମ ଦେବନି ବିଜେଡିକୁ ଭାଙ୍ଗିବାକୁ ଜାତୀୟ ଦଳ କରୁଥିବା ହୀନ ଚକ୍ରାନ୍ତ

ଭୁବନେଶ୍ବର: ବିଜେଡିକୁ ଭାଙ୍ଗିବାକୁ ଜାତୀୟ ଦଳ କରୁଥିବା ଚକ୍ରାନ୍ତ କାମ ଦେବନି । ଏଠି ନୁହେଁ ବରଂ କେନ୍ଦ୍ରରେ ହେବ ବିସ୍ଫୋରଣ । ମମତା ମହାନ୍ତ ବିଜେଡି ସହ ରାଜ୍ୟସଭା ପଦ ଛାଡ଼ିବା ଦଳ ଉପରେ ପକାଇବନି ପ୍ରଭାବ । ଏଭଳି ରୋକଠୋକ କହିଛି ବିଜେଡି । ଶକ୍ତିଶାଳୀ ବିଜେଡି ଯେଉଁ ପରି ଭାବେ ବିଧାନସଭା ଓ ରାଜ୍ୟସଭାରେ ଦାୟିତ୍ବବାନ ବିରୋଧୀର ଭୂମିକା ନିର୍ବାହ କରୁଛି, ତାହା ଦଳକୁ ଆହୁରି ଶାଣିତ ଢଙ୍ଗରେ ଆଗକୁ ନେବାର ସଙ୍କେତ ଦେଉଛି ।

ବିଜେଡିରୁ ଅନେକ ମର୍ଯ୍ୟାଦା ପାଇଥିଲେ ମମତା ମହାନ୍ତ । କୁଡୁମୀ ସଂପ୍ରଦାୟ ସହ ମୟୂରଭଞ୍ଜକୁ ପ୍ରତିନିଧିତ୍ବ କରିବାକୁ ୨୦୨୦ରେ ରାଜ୍ୟସଭାକୁ ପଠାଇଥିଲା ବିଜୁ ଜନତା ଦଳ । ହେଲେ କାର୍ଯ୍ୟକାଳ ସରିବାର ଦୁଇ ବର୍ଷ ପୂର୍ବରୂ ସାଂସଦ ପଦ ସହ ବିଜେଡି ଛାଡ଼ିଲେ ମମତା । ଉଭୟ କୁଡୁମୀ ସଂପ୍ରଦାୟ ଓ ମୟୂରଭଞ୍ଜବାସୀଙ୍କୁ ମମତା ଧୋକା ଦେଇଥିବା ଅଭିଯୋଗ କରିଛି ବିଜେଡି । ମମତାଙ୍କ ଇସ୍ତଫା ପରେ ବିଜେଡି ଭାଙ୍ଗିବା ନେଇ ଉଠିଲାଣି ଅନେକ ଗୁଜବ । ଏକ ଜାତୀୟ ଦଳ ବିଜେଡିକୁ ଭାଙ୍ଗିବାକୁ ଯୋଜନା ଆରମ୍ଭ କରିଥିବା ଚର୍ଚ୍ଚା ବି ହେଲାଣି । ହେଲେ ଏହାକୁ ଖାତିର କରିନି ବିଜେଡି । ଦଳ ଭାଙ୍ଗିବାକୁ ଯଦି ବି ଜାତୀୟ ଦଳ ଚାହୁଁଥିବେ, ତେବେ ନବୀନ ବାବୁ ଥିବା ଯାଏଁ ଏହା ସମ୍ଭବ ହେବନି ବୋଲି ଦାବି କରିଛି ବିଜେଡି । ପୂର୍ବରୁ ମଧ୍ୟ ଦଳ ଡିଆଁ ନେତାଙ୍କୁ ପଛ ଧାଡ଼ିରେ ଠେଲି ହୋଇଥିବାର ଅନେକ ନଜରି ରହିଛି । ଏବେ ବି ସେମାନେ ବ୍ୟାକ୍ ବେଞ୍ଚରେ ବସିବା ନେଇ ବିଜେଡି କଟାକ୍ଷ କରିଛି । ମମତା ମହାନ୍ତଙ୍କ ଇସ୍ତଫାକୁ ବିସ୍ଫୋରଣର ଆଖ୍ୟା ଦେଇଥିବା ବିଜେପିକୁ କଡ଼ା ଜବାବ ଦେଇଛି ବିଜେଡି । ଏଠି ନୁହେଁ ବରଂ କେନ୍ଦ୍ରରେ ବିସ୍ଫୋରଣ ହେବା ନେଇ ଦାବି କରିଛି ଦଳ । ଯଦି କେନ୍ଦ୍ରରେ ବିସ୍ଫୋରଣ ହେଲା ତେବେ ଓଡ଼ିଶାରେ ଶୀଘ୍ର ବିଜେପିରେ ବିସ୍ଫୋରଣ ହେବ ବୋଲି କହିଛି ବିଜେଡି ।

ଶକ୍ତିଶାଳୀ ବିରୋଧୀ ଭାବେ ରାଜ୍ୟସଭାରେ ନିଜ ଦାୟିତ୍ବ ନିର୍ବାହ କରୁଛି ବିଜେଡି । ପୂର୍ବରୁ ବିଭିନ୍ନ ଗଠନମୂଳକ ପ୍ରସଙ୍ଗରେ ଏନଡିଏକୁ ସମର୍ଥନ କରିଥିଲା ବିଜେଡି । ହେଲେ ଏବେ ନୂଆ ଅବତାରରେ ଆସିଛନ୍ତି ନବୀନ ପଟ୍ଟନାୟକ । ସରକାରକୁ ଚେକ୍ ଦେବା ସହ ସଂଗଠନର ଦୃଢ଼ତା ନେଇ ବାର୍ତ୍ତା ଆହୁରି ଶାଣିତ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି । ସେପଟେ ନବୀନଙ୍କ ସାଂଗଠନିକ ଓ ପ୍ରଶାସନିକ ଦକ୍ଷତାକୁ ମିଳିବାରେ ଲାଗିଛି ଭେଟେରାନ୍ ବିରୋଧୀ ନେତାଙ୍କ ସମର୍ଥନ ।

୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ମହଲରେ ବିଜେଡିର ଅସ୍ତିତ୍ବକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ହେଲେ ଶତାଧିକ ବିଧାୟକଙ୍କ ସହ ସରକାର ଗଢିଥିଲା ବିଜେଡି । ସେ ସମୟରେ ଦୁଇ ଅଙ୍କ ବି ଛୁଇଁ ପାରି ନଥିଲା ବିଜେପି । ଏବେ ବିଜେଡି ସିନା ଜନାଦେଶ ପାଇନି । ହେଲେ ୫୧ ବିଧାୟକଙ୍କ ସହ ଦୀର୍ଘ ଅଢେଇ ଦଶନ୍ଧି ପରେ ରାଜ୍ୟକୁ ମିଳିଛି ଏକ ଶକ୍ତିଶାଳୀ ବିରୋଧୀ ଦଳ । ଏହାର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ବିଧାନସଭାରେ ସରକାରଙ୍କ ତ୍ରୁଟି ବିରୋଧରେ ଯେପରି ଶାଣିତ ସ୍ବର ଉଠାଉଛନ୍ତି, ତାହା ବିଜେଡିକୁ ଦେଉଛି ବୁଷ୍ଟର ଡୋଜ।