ସଂସଦରେ ବିଜେଡି ପୁଣି ଉଠାଇଲା କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ GST ଛାଡ଼ ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ପୁଣି ଉଠିଲା କେନ୍ଦ୍ରପତ୍ର ପ୍ରସଙ୍ଗ । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୂର୍ବରୁ ୨୦୨୨ ନଭେମ୍ବର ୨୫ ତାରିଖରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୨୨ ଡିସେମ୍ବର ୧୭ରେ ବସିଥିବା ୪୮ତମ ଜିଏସଟି କାଉନସିଲ ବୈଠକରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରିବାକୁ ଦାବି ଉଠାଇଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବାକୁ ନେଇ ବିଜେଡି ପକ୍ଷରୁ ମଧ୍ୟ ବାରମ୍ବାର ଦାବି ହୋଇ ଆସୁଛି । ଜିଏସଟି ଛାଡ଼ ହେଲେ ରାଜ୍ୟର ୧୦ ଲକ୍ଷରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ମହିଳା ଉପକୃତ ହୋଇପାରିବେ ବୋଲି କହିଛନ୍ତି ସସ୍ମିତ ।

ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ତୋଳାଳି, ବନ୍ଧାଳି ଓ ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଛି ଏହି କେନ୍ଦୁପତ୍ର । ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଏହାକୁ ଜୀବୀକା କରିଛନ୍ତି । କେନ୍ଦୁପତ୍ର ସଂଗ୍ରହ କରି ବିକ୍ରି କରିବା ସେମାନଙ୍କର ଅଧିକାର । ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ଏହି ବ୍ୟବସାୟ ଉପରେ ପ୍ରଭାବ ପକାଉଛି । ତୋଳାଳି, ବନ୍ଧାଳି ଏବଂ ଏଥିରେ ନିୟୋଜିତ ଋତୁକାଳୀନ ଶ୍ରମିକଙ୍କ ଜୀବନଧାରା ପ୍ରଭାବିତ ହେଉଛି । ଆଦିବାସୀଙ୍କ ସମୂହ ସ୍ଵାର୍ଥ ଦୃଷ୍ଟିରୁ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବା ସହ ସରକାର ଏଥିପ୍ରତି ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି ସସ୍ମିତ ।