spot_img

Latest Posts

ଶସ୍ତା ରାଜନୀତିରୁ ଦୁରେଇ ରହିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ପରାମର୍ଶ

ଭୁବନେଶ୍ୱର: ଲଘୁଚାପ ଗଭୀର ଅବପାତର ରୂପ ନେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱରରେ ଗତ ୪୮ ଘଣ୍ଟା ମଧ୍ୟରେ ୧୯୫ ମିଲିମିଟର ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର। ଏଭଳି ସ୍ଥିତିରେ ଲୋକଙ୍କ ସହ ରହିବା ପରିବର୍ତ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶସ୍ତା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ଭୁବନେଶ୍ୱରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଟ୍ୱିଟ୍ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟକରି ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ  ସଂସଦୀୟ ଷ୍ଟାଣ୍ଡିଂ କମିଟିର ପରାମର୍ଶକୁ ଲାଗୁ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଦେଇଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ପାଲଟା ଟ୍ୱିଟ୍ କରି ଶ୍ରୀମୟୀ ମିଶ୍ର ବିଏମସି କମିଶନର ଭାବେ ଅପରାଜିତାଙ୍କ କାର୍ଯ୍ୟକାଳକୁ ମନେ ପକାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ୧୨ ବର୍ଷ ତଳେ ୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ୩ ବର୍ଷ ଧରି ବିଏମସି କମିଶନର ଥିବା ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ଉନ୍ନତ ମସ୍ତିଷ୍କରେ ସେତେବେଳେ ଯେଉଁ କାମ କରିଥିଲେ ତା’ର ପରିଣାମ ଏବେ ଭୁବନେଶ୍ୱର ସହରବାସୀଙ୍କୁ ଭୋଗିବାକୁ ପଡୁଛି।

ବିଏମସି କମିଶନର ଭାବେ ତାଙ୍କ କାର୍ଯ୍ୟର ପ୍ରାୟଶ୍ଚିତ ଆମେ କରୁଛୁ ବୋଲି ଶ୍ରୀମୟୀ ଲେଖିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱର ଜଳ ନିଷ୍କାସନ ସମସ୍ୟା ନେଇ ସାଂସଦଙ୍କ ବିବୃତି ଅତ୍ୟନ୍ତ ହାସ୍ୟାସ୍ପଦ। ଏହା ସାଂସଦ ଓ ପୂର୍ବରୁ ବିଏମସି କମିଶନର ଭାବେ ତାଙ୍କ ଅପାରଗତାକୁ ପଦାରେ ପକାଉଛି। ଗୁଜରାଟ ମଡେଲର ଡିଣ୍ଡିମ ପିଟୁଥିବା ବିଜେପି, ଅହମଦାବାଦରେ ବର୍ଷା ପରବର୍ତ୍ତୀ ବିକଳ ଚିତ୍ର ଟିକେ ଦେଖି ନିଅନ୍ତୁ ବୋଲି ଶ୍ରୀମୟୀ କହିଛନ୍ତି। ଶସ୍ତା ରାଜନୀତି ଛାଡ଼ନ୍ତୁ ବୋଲି ମଧ୍ୟ ଲେଖିଛନ୍ତି ବିଜେଡିର ନେତ୍ରୀ। ଟ୍ୱିଟରରେ ଗୁଜରାଟ ଓ ଲକ୍ଷ୍ନୌରେ ପ୍ରବଳ ବର୍ଷାରେ ସ୍ଥିତି କେମିତି ବେହାଲ ହୋଇଛି ତାର ଚିତ୍ର ମଧ୍ୟ ଲୋକେ କମେଣ୍ଟରେ ଦେଇଥିବା ଦେଖିବାକୁ ମିଳିଛି।

Latest Posts

Don't Miss