ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା

ଚିଲିକା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ୍ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ୭ ସଦସ୍ୟ । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ରହିଛନ୍ତି ।

ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକାରେ ଗୋଟିଏ ଟିମ୍‌ ନିୟୋଜିତ ଅଛନ୍ତି । କମ୍ପାସ, ବାଇନାକୁଲାର ଓ ଜିପିଏସ ମାଧ୍ୟ୍ୟମରେ ହେଉଛି ପକ୍ଷୀ ଗଣନା । ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟପ୍ରାଣୀ କର୍ମଚାରୀ । ଗତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି ।