ଡାକ୍ତରଖାନା, ମେଡିକାଲ କଲେଜରେ ବାୟୋମେଟ୍ରିକ୍ ଓ ସିସିଟିଭି ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: ଡାକ୍ତରଖାନା ହେଉ କି ମେଡିକାଲ କଲେଜ, ସମୟାନୁବର୍ତ୍ତିତାକୁ ଗୁରୁତ୍ୱ । ସବୁଠି ବାୟୋମେଟ୍ରିକ ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ । କର୍ତ୍ତବ୍ୟରେ ଅବହେଳାକୁ ଆଦୌ କରାଯିବନି ବରଦାସ୍ତ । ଅଭ୍ୟାସଗତ ଖିଲାପିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ଡାକ୍ତରଖାନାରେ ଭିତ୍ତିଭୂମି ନିର୍ମାଣ ସହିତ ଡାକ୍ତର ଓ କର୍ମଚାରୀଙ୍କ ଖାଲି ପଦବୀ ପୂରଣ କରୁଛନ୍ତି । ତେବେ କିଛି ଡାକ୍ତର ଓ କର୍ମଚାରୀଙ୍କ ମନମାନି ପାଇଁ ସରକାରଙ୍କ ଆଭିମୁଖ୍ୟ ପୂରଣରେ ବାଧା ଉପୁଜୁଛି । କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଡାରକ୍ତଖାନାରେ ସୃଷ୍ଟି ହେଉଛି କୁତ୍ରିମ ଅଚଳାବସ୍ଥା । ଏହାକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ଓ ହସ୍ପିଟାଲଠାରୁ ଆରମ୍ଭ କରି ସିଏଚସି, ପିଏଚସି ପର୍ଯ୍ୟନ୍ତ ସବୁ ଡାକ୍ତରଖାନାରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।

ଡାକ୍ତରଖାନାରେ ୨୪ ଘଣ୍ଟିଆ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥାନ ସୁନିଶ୍ଚିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋମେଟ୍ରିକ୍ ମେସିନ୍ ଲଗାଯିବା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ଜାତୀୟ ମେଡିକାଲ କାଉନସିଲର ନିୟମ ପୂରଣ ହେବା ସହ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମାୟାନୁବର୍ତ୍ତିତା ଜାଗ୍ରତ ହେବ । ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିପାରିବ। ଭୁବନେଶ୍ୱର ସ୍ଥିତ PGIMER ମେଡିକାଲ କଲେଜରେ ଏହି ବ୍ୟବସ୍ଥା କଡାକଡି ଲାଗୁ ହୋଇସାରିଛି।

ପ୍ରତି ମାସରେ ସମ୍ପୃକ୍ତ ଡାକ୍ତରଖାନାର ମୁଖ୍ୟ ସମସ୍ତ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଉପସ୍ଥାନ ଯାଞ୍ଚ କରିବେ । ଯଦି କେହି ବିନା ଅନୁମତିରେ ଏକାଧିକ ଥର କାର୍ଯ୍ୟରେ ଅନୁପସ୍ଥିତ ଥିବା ଜଣାପଡ଼େ ତା ହେଲେ ସେମାନଙ୍କୁ ଚେତାବନୀ ଦିଆଯିବ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ବାରମ୍ବାର ନିୟମ ଭାଙ୍ଗୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ । ଖୁବଶୀଘ୍ର ଏହି ବ୍ୟବସ୍ଥା କ୍ୟାପିଟାଲ ହସ୍ପିଟାଲରେ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ। ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।