କେନାଲ ବନ୍ଧ ରାସ୍ତା ମରାମତି ନାଁରେ ଲକ୍ଷେ ୯୭ ହଜାର ଟଙ୍କା ବିଲ୍, ପଡ଼ିନି ମୁଠାଏ ମାଟି
1 min read
ନିଶ୍ଚିନ୍ତକୋଇଲି: ରାସ୍ତା ମରାମତିର ନାଁରେ ଜାଲ୍ ବିଲ୍ । ସରକାରୀ ତହବିଲରୁ ଅର୍ଥ ହେଉଛି ହରିଲୁଟ୍ । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜମାରା ଗାଁ କେନାଲ ବନ୍ଧ ରାସ୍ତା ମରାମତି ହୋଇଛି । ୨୦୧୮-୧୯ ବର୍ଷରେ କେନାଲ ବନ୍ଧ ମରାମତିରେ ଖର୍ଚ୍ଚ ହୋଇଛି ପ୍ରାୟ ୨ ଲକ୍ଷ ଟଙ୍କା । ରାସ୍ତା ମରାମତିରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୯୭ ହଜାର ଟଙ୍କା । ଏନେଇ ହୋଇଥିବା ବିଲ୍ ମଧ୍ୟ ପାସ୍ ହୋଇଛି ।
ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ମିଳିଥିବା ବେଳେ ବିଗତ ୫ ବର୍ଷ ମଧ୍ୟରେ ରାସ୍ତାର କୌଣସି ମରାମତି ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆରଟିଆଇରୁ ମିଳଥିବା ଡକ୍ୟୁମେଣ୍ଟ ମୁତାବକ ୨୦୧୮-୧୯ ଆର୍ଥିକ ବର୍ଷରେ ନିଶ୍ଚିନ୍ତକୋଇଲି ଜମାରା ଗାଁ ୮ ବି(୧) କେନାଲ ବନ୍ଧ ମରାମତି ହୋଇଛି । ଏଥିରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୯୭ ହଜାର ଟଙ୍କା । ଗ୍ରାମବାସୀ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଖାଲଖମା ଭର୍ତ୍ତି ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ଲୋକ ଯାତାୟତ କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗାଁ ଲୋକଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ । ସେ କହିଛନ୍ତି, ପୂର୍ବରୁ ରାସ୍ତାର ମରାମତି ହୋଇଛି ଏବଂ ପୁଣି ଥରେ ନବୀକରଣ ପାଇଁ ୫୬ ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଖୁବଶୀଘ୍ର ନବୀକରଣ କାମ ଆରମ୍ଭ ହେବ । ପ୍ରଶ୍ନ ଉଠୁଛି ଯଦି ରାସ୍ତା ବର୍ଷେ ତଳେ ମରାମତି ହୋଇଥିଲା, ତେବେ ନବୀକରଣର କଣ ରହିଛି ଆବଶ୍ୟକତା ?