ଆଜି ଆତ୍ମସମର୍ପଣ କରିପାରନ୍ତି ବିଲକିସ ବାନୋ ଗଣଦୁଷ୍କର୍ମ ଅଭିଯୁକ୍ତ

1 min read

ନନ୍ଦିଘୋଷ ବ୍ୟୁରୋ : ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିପାରନ୍ତି ବିଲକିସ ବାନୋ ଗଣଦୁଷ୍କର୍ମ ଅଭିଯୁକ୍ତ । ସମସ୍ତ ୧୧ ଅଭିଯୁକ୍ତଙ୍କ ପିଟିସନକୁ ଖାରଜ କରି ୨୧ ତାରିଖ ସୁଦ୍ଧା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ସରେଣ୍ଡର କରିବା ଲାଗି ଗତ ଶୁକ୍ରବାର ଅର୍ଥାତ ଜାନୁଆରୀ ୧୯ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ ମାମଲାର ଶୁଣାଣି କରି ଯେଉଁ ୨୧ ତାରିଖକୁ ସୁପ୍ରିମକୋର୍ଟ ଡେଡଲାଇନ ଶୁଣାଇଥିଲେ ସେହି ତାରିଖ ଅର୍ଥାତ ୨୧ ପୂର୍ବରୁ ଆତ୍ମସମର୍ପଣ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସରେଣ୍ଡର ସମୟ ସୀମା ବୃଦ୍ଧି କରିବା ଲାଗି ଅଭିଯୁକ୍ତମାନେ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ । ଗତ ୧୯ ତାରିଖରେ ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଉଜ୍ବଳ ଭୂୟାଁ କହିଥିଲେ- ସରେଣ୍ଡର ତାରିଖ ବୃଦ୍ଧି ନେଇ ଯେଉଁ ଆବେଦନ କରାଯାଇଥିଲା ତାହା ବୈଧ ନୁହେଁ । ଯେଉଁ ଅଭିଯୁକ୍ତମାନେ ସରେଣ୍ଡର ତାରିଖ ବଢାଇବା ଲାଗି ଆବେଦନ କରିଥିଲେ ସେମାନେ ବିଭିନ୍ନ ଘରୋଇ କାରଣ, ପୁତ୍ରର ବିବାହ, ଶୀତକାଳୀନ ଅମଳ ଆଦି ପ୍ରସଙ୍ଗ ଉତଥାପନ କରିଥିଲେ । ୨୧ ତାରିଖରେ ସରେଣ୍ଡର କରିବା ପରେ ଅଭିଯୁକ୍ତମାନେ ରିଭ୍ଯୁପିଟିସନ ଦାଖଲ କରିବାର ସୁଯୋଗ ରହିଛି । ସେମାନେ ମହାରାଷ୍ଟ୍ର ସରକାର ନିକଟରେ ପୁନର୍ବାର ସମୀକ୍ଷା ପିଟିସନ ଦାଖଲ କରିବାର ବି ବିକଳ୍ପ ରହିଛି । Bilkis Bano: India Supreme Court cancels release of 2002 riots rapists -  BBC News

୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ୧୧ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ରେମିସନ ପଲିସି ଆଧାରରେ ଗତ ୨୦୨୨ ଅଗଷ୍ଟ ୧୫ରେ ଖଲାସ କରିଦେଇଥିଲେ । ଏହା ବିରୋଧରେ ବିଲକିସ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଗତ ଜାନୁଆରୀ ୮ତାରିଖରେ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ । ୨୦୦୨ ଦଙ୍ଗା ସମୟରେ ୨୧ ବର୍ଷ ବୟସ୍କା ତଥା ୫ ମାସର ଗର୍ଭବତୀ ବିଲକିସଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କର ୩ ବର୍ଷ ବୟସ୍କା ଝିଅ ସମେତ ୭ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ୧୧ ଅଭିଯୁକ୍ତ ହେଲେ ବାକାବାଇ ବୋହାନିଆ, ବିପିନ ଚନ୍ଦ୍ର ଯୋଷୀ, କେଶରୀଭାଇ ବୋହାନିଆ, ଗୋବିନ୍ଦ ନାଏ, ଯଶଓ୍ବନ୍ତ ନାଏ, ମିତେଶ ଭଟ୍ଟ, ପ୍ରଦୀପ ମୋର୍ଦିଆ, ରାଧେଶ୍ଯାମ ଶାହ, ରାଜୁଭାଇ ସୋନି, ରମେଶ ଚନ୍ଦନା ଓ ଶୈଳେଶ ଭଟ୍ଟ ।