ବିନା ହେଲାମେଟରେ ଗାଡ଼ି ଚୋରି କରୁଥିଲା, ଫାଇନ୍ ପାଇଁ ଧରା ପଡ଼ିଲା ଚୋର
1 min read
ନନ୍ଦିଘୋଷ ବ୍ୟୁରୋ: ଫାଇନ ଧରାଇଲା ବାଇକ ଚୋର । ବିନା ହେଲାମେଟରେ ଚୋରି ଗାଡି ନେଇ ପଳାଉଥିବା ବେଳେ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ମାଲିକଙ୍କ ପାଖୁ ଫାଇନ ମେସେଜ ଆସିବା ପରେ ଧରାପଡ଼ିଲା କରିତକର୍ମା ଚୋର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରରେ । ଲିଙ୍ଗରାଜ ଥାନା ପୋଲିସ ଚୋରକୁ ଅଟକ ରଖି ପଚରାଉଚରା କରିଛି । ଘଟଣାଟି ଗତ ୧୫ ତାରିଖର । ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ନିଜର ନାଲି ରଙ୍ଗର ସ୍କୁଟି ପାର୍କିଂ କରି ପୁରୁଣା ଭୁବନେଶ୍ୱର ସ୍ଥିତ ମୂଳା ପଡ଼ିଆରେ କ୍ରିକେଟ ଖେଳୁଥିଲେ । ଖେଳ ସାରି ଆସିବା ବେଳକୁ ଗାଡିଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ ।
ତୁରନ୍ତ ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । ଏତଲା ଦେଇସାରି ଘରକୁ ଯାଇ ପହଞ୍ଚିବା ବେଳକୁ ହଠାତ ତାଙ୍କ ମୋବାଇଲକୁ ଏକ ଫାଇନ ମେସେଜ ଆସିଥିଲା । ଚୋର ବିନା ହେଲାମେଟରେ ଗାଡି ଚଳାଉଥିବା ବେଳେ NH ଉପରେ ଫାଇନ କଟିଥିଲା । ଏ ହେଉଛି ଚାଲାଣ କଟିବା ବେଳର ଫଟୋ । ଏଭଳି ମେସେଜ ପାଇବା ପରେ ତୁରନ୍ତ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ଏତଲାକାରୀ । ଯାହାକୁ ନେଇ ପୋଲିସ ଆରମ୍ଭ କରିଥିଲା ତନାଘନା । ଶେଷରେ ଚୋର ଚୋରି ଗାଡିଟିକୁ କଟକରେ ବିକ୍ରି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିଲା । ଗାଡିଟିକୁ ଉଦ୍ଧାର କରିବା ସହ ଚୋରକୁ ଅଟକ ରଖିଛି ପୋଲିସ । ଶୁଣନ୍ତୁ କଣ କହୁଛନ୍ତି ଗାଡି ଫେରିପାଇଥିବା ଯୁବକ ।