ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଆରାଧନା

କଟକ: କଟକ ଦୁର୍ଗା ପୂଜାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି, ବାଙ୍ଗୀୟ ମଣ୍ଡପରେ ସଧବା ମହିଳା ମାନଙ୍କ ଦଶମୀ ସିନ୍ଦୁର ଖେଳ । ସହରର ପୁରାତନ ତଥା ହାତ ଗଣତି ପୂଜା ମଣ୍ଡପରେ କାହିଁ କେଉଁ କାଳରୁ ଦେଖିବାକୁ ମିଳେ ଏହି ଦୁର୍ଲଭ ଦୃଶ୍ୟ । ମଣ୍ଡପ ରୂପକ ବାପ ଘରେ ମା ଦୁର୍ଗାଙ୍କ ପାଞ୍ଚ ଦିନ ରହଣି ପରେ ସଧବା ବେଶରେ ବିଦାୟ ଦିଆଯାଏ । ଏହି ସମୟରେ ନିଜ ଶଙ୍ଖା ସିନ୍ଦୁରର ସୁରକ୍ଷା ଭିକ୍ଷା କରି ସାଧବା ମହିଳା ମାନେ ପରସ୍ପରକୁ ସିନ୍ଦୁର ଲଗାଇ ନାଚିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ବେଶ ଉତ୍ସାହରେ ପାଳିବା ପାଇଁ ଉତ୍କଣ୍ଠା ସହିତ ସମସ୍ତେ ଅପେକ୍ଷା କରିଛନ୍ତି ।

ଭାଇଚାରାର ସହରରେ ମା ଦୁର୍ଗାଙ୍କ ହେବ ବଙ୍ଗୀୟ ରୀତିନୀତୀରେ ପୂଜାର୍ଚ୍ଚନା । ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଭକ୍ତ କରିବେ ଆରାଧନା । ଏନେଇ ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି। କଟକ ସହରରେ ଚୈତନ୍ୟ ମହାପ୍ରଭୁଙ୍କ ସହିତ ନଦିଆ ନବ ଦୀପରୁ ଆସିଥିବା ବଙ୍ଗୀୟ ବ୍ରାହ୍ମଣ ମାନେ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସେବେ ଠାରୁ ସହର ଏକାଧିକ ପୁରାତନ ମଣ୍ଡପରେ ଚାଲିଛି ବଙ୍ଗୀୟ ମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ପୂଜା ସାଙ୍ଗକୁ ଦଶମୀରେ ସିନ୍ଦୂର ଖେଳ। ସହରର ସେଲଟର ଛକ ଅଞ୍ଚଳରେ ଥିବା ନେତାଜୀ ନଗରରେ ଆଜକୁ 75 ବର୍ଷରୁ ଅଧିକ ସମୟ ହେବ ପୂଜା ଅନୁଷ୍ଠିତ ହେଉଛି । ଏଠାକାର ବଙ୍ଗୀୟ ସାଧବା ମହିଳା ମାନେ ଦଶମୀରେ ମାଆଙ୍କୁ ସିନ୍ଦୂର  ଲଗାଇ ସ୍ବତନ୍ତ୍ର ପୂଜା କରନ୍ତି । ସାଙ୍ଗ ହୋଇ ପରସ୍ପରକୁ ସିନ୍ଦୂର  ଲଗାଇ ସଦା ସଧବା ରହିବା ପାଇଁ ମାଆଙ୍କ ନିକଟରେ ପାର୍ଥନା କରନ୍ତି ।

କଟକ ସହରର ଅନ୍ୟତମ ପୁରାତନ ମଣ୍ଡପ  କାଜି ବଜ଼ାର ଅଞ୍ଚଳର ଆଦିପୀଠ ଓ ଆଲମଚାନ୍ଦ ବଜ଼ାର ଅଞ୍ଚଳର ଦୁର୍ଗାବାଡ଼ି ପୂଜା ମଣ୍ଡପରେ ମଧ୍ୟ ଦେଖିବାକୁ ମିଳେ ଏହି ଅପୂର୍ବ ଦୃଶ୍ୟ । ଏଠାରେ ଆରମ୍ଭରୁ ବଙ୍ଗୀୟ ପରିବାର ପୂଜାକରି ଆସୁଛନ୍ତି । ବାପ ଘରକୁ ଝିଅକୁ ନିମନ୍ତ୍ରଣ କରିବା ପରି ଏଠାରେ 5ଦିନ ମାଆଙ୍କୁ ମଣ୍ଡପରେ ପୂଜା କରାଯାଏ । ଦଶମୀରେ ମାଆ ମେଲାଣି ନେବା ସମୟ ଆସିଲେ ସଧବା ମାନେ ଏକାଠି ହୋଇ ପାନ ପତ୍ର ସାଙ୍ଗକୁ ନୈବେଦ୍ୟ ଓ ସିନ୍ଦୂର ଲଗାଇ ମାଆଙ୍କୁ ସଜେଇ ଦିୟନ୍ତି। ସେହି ସିନ୍ଦୁର ମୁଣ୍ଡରେ ଲଗାଇ ନାଚନ୍ତି ।