ହୋଲିରେ ତେଜ ପ୍ରତାପଙ୍କ ଆଦେଶରେ ନାଚିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହୋଲି ଦିନ ସେ ତାଙ୍କ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକଙ୍କୁ ୟୁନିଫର୍ମପିନ୍ଧି ନୃତ୍ୟ କରିବାକୁ କହିଥିଲେ, ଏବେ ତାଙ୍କୁ ପାଟନା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ବିହାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି,କନେଷ୍ଠବଲଙ୍କୁ ସ ତେଜପ୍ରତାପ ଯାଦବଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇବା ସହିତ ତାଙ୍କୁ ଲାଇନ ହାଜିର କରିଛି । ସୂଚନାଯୋଗ୍ୟ ଯେ,ତେଜପ୍ରତାପଙ୍କ କହିବାରେ ଏହି କନେଷ୍ଟବଲ ଜଣକ ୟୁନିଫର୍ମ ପିନ୍ଧି ଡ୍ୟାନ୍ସ କରିଥିଲେ ।
ପାଟନାସ୍ଥିତ ବରିଷ୍ଠ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଧାୟକ ତେଜପ୍ରତାପ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗରକ୍ଷୀ ଦୀପକ କୁମାର ୟୁନିଫର୍ମ ପିନ୍ଧି ନୃତ୍ୟ କରୁଥିବା ନଜରକୁ ଆସିବା ପରେ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକ କୁମାରଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନଷ୍ଟେବଳଙ୍କୁ ଅଙ୍ଗରକ୍ଷୀ ଭାବେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭିଡିଓ ଭାଇରାଲ ହେଲାପରେ..
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜପ୍ରତାପ ଯାଦବ ସୋମବାର ତାଙ୍କ ଅଙ୍ଗରକ୍ଷୀ ଦୀପକ ଯାଦବଙ୍କୁ ତାଙ୍କ ବାସଭବନରେ ଆୟୋଜିତ ହୋଲି ଉତ୍ସବରେ ନୃତ୍ୟ କରିବାକୁ କହିଥିଲେ। ତେଜ ପ୍ରତାପ ଯାଦବ ଗୀତ ଗାଇ ତାଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ । ଏଥିସହିତ ନ ନାଚିଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ଧମକ ଦେଇଥିଲେ।
ସ୍ପଷ୍ଟୀକରଣ ଦେଲେ ତେଜ ପ୍ରତାପ
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଅନ୍ୟ ରାଜନୈତିକ ଦଳମାନେ ଆରଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ତେଜ ପ୍ରତାପ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଓ ଆରଏସଏସ ହୋଲି ପର୍ବକୁ ଘୃଣାର ଏକ ନୂଆ ରଙ୍ଗ ଦେଇଛନ୍ତି ବୋଲି ସେ କହିଥିଲେ। ହୋଲି ପର୍ବ ପାଳନରେ ରାଜନୀତି କରିବା ସେମାନଙ୍କ ଧର୍ମ ପାଲଟିଛି। ଖୁବଶୀଘ୍ର ଦେଶବାସୀ ସେମାନଙ୍କୁ ଶିକ୍ଷା ଦେବେ ।
ବିଜେପିର ଆକ୍ରମଣ
ଏହି ଭିଡିଓକୁ ନେଇ ତେଜ ପ୍ରତାପଙ୍କ ଉପରେ ରାଜନୈତିକ ଆକ୍ରମଣ ହୋଇଥିଲା। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ପିତାଙ୍କ ଭଳି ପୁଅ । ଆଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବେ ବାପା ନିଜ ନିର୍ଦ୍ଦେଶରେ ଆଇନକୁ ନୃତ୍ୟ କରିବାକୁ ବାଧ୍ୟ କରି ବିହାରକୁ ଜଙ୍ଗଲରାଜରେ ପରିଣତ କରିଥିଲେ। ଏବେ କ୍ଷମତାରୁ ଦୂରେଇ ରହିବା ସତ୍ତ୍ୱେ ପୁଅ ଧମକ ଓ ଚାପରେ ଆଇନ ଓ ଆଇନ ରକ୍ଷକଙ୍କୁ ନିଜ ନିର୍ଦ୍ଦେଶରେ ନାଚିବାକୁ ଚେଷ୍ଟା କରୁଛନ୍ତି।