ଆମେରିକାକୁ ଚକମା ଦେଲା ଇରାନ: ଖାଲି ହୋଇ ସାରିଥିବା ଫୋର୍ଡୋ ନ୍ୟୁକ୍ଲିୟର ସେଣ୍ଟରକୁ ଧ୍ବଂସ କରି ବାଃ ବାଃ ନେଉଛନ୍ତି ଟ୍ରମ୍ପ

1 min read

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ସାରା ବିଶ୍ବରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି ଏବେ ଇରାନର କ’ଣ ହେବ ? ହେଲେ ଆମେରିକା ଡାଳେ ଡାଳେ ଗଲେ ଇରାନ ପତ୍ରରେ ପତ୍ରରେ ଯାଉଛି । ଶନିବାର ଆମେରିକାର ବୋମା ବର୍ଷକ ବିମାନ ଇରାନର ତିନୋଟି ମୁଖ୍ୟ ପରମାଣୁ ଘାଟି ଫୋର୍ଡୋ, ନତାଞ୍ଜ ଓ ଇସଫାହାନ ଉପରେ ବଙ୍କର ବଷ୍ଟର ବୋମା ପକାଇ ଧ୍ବଂସ କରି ଦେଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଛାତି ପିଟି ଦାବି କରୁଛନ୍ତି । ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପଙ୍ଗୁ କରି ଦେଇଥିବା କୁହାଯାଉଛି । ହେଲେ, ଟ୍ରମ୍ପ ଭୁଲି ଯାଇଥିଲେ, ଆମେରିକାର ଏହି ଆକ୍ରମଣ ପାଇଁ ଇରାନ ପୂର୍ବରୁ ପ୍ରସ୍ତୁତ ଥିଲା । କାରଣ ଆମେରିକା ଧ୍ବଂସ କରିଥିବା ପରମାଣୁ ଘାଟିରୁ ଇରାନ ପୂର୍ବରୁ ସମସ୍ତ ୟୁରାନିୟମକୁ ସ୍ଥାନାନ୍ତର କରି ଦେଇଥିଲା । ଆମେରିକାର ବଙ୍କର ବଷ୍ଟର ଖାଲି ପଡ଼ିଥିବା ଇରାନର ଉକ୍ତ ଘାଟିଗୁଡିକୁ ଧ୍ବଂସ କରିଛି । ଯାହା ଆମେରିକାର ସୁରକ୍ଷା ଏଜେନ୍ସିଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରି ଦେଇଛି । ସେପଟେ, ଏହି ଆକ୍ରମଣ ପରେ ଇରାନ ଆମେରିକାକୁ ଚେତାବନୀ ଦେଇଛି । ଇରାନ ତରଫରୁ କୁହାଯାଇଛି, ଆମେ ଚୁପ ବସିବୁନି, ଏହାର ପ୍ରତିଶୋଧ ନେବୁ ।

ଆମେରିକା ଧ୍ବାଂସ କରିଥିବା ଇରାନର ୩ଟି ପରମାଣୁ ଘାଟି ମଧ୍ୟରୁ ଫୋର୍ଡୋ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । କାରଣ ଏଠାରେ ପ୍ରାୟ ୪୦୦ ଫୁଟ ମାଟି ତଳେ ଇରାନ ପରମାଣୁ ସମୃଦ୍ଧି ପ୍ଲାଣ୍ଟ ଥିଲା । ଇରାନ ଉପରେ ଆକ୍ରମଣ ସଫଳ ହୋଇଥିବା ଟ୍ରମ୍ପ ଦାବି କରି ବାହାବାହା ନେଉଥିବା ବେଳେ ଫୋର୍ଡୋ ଅଞ୍ଚଳର ଜଣେ ସାଂସଦଙ୍କ ପ୍ରତିକ୍ରିୟା ଆସିଛି । ଯାହା ଆମେରିକା ସମେତ ଇରାନର ଶତ୍ରୁ ରାଷ୍ଟ୍ରଙ୍କୁ ଚକିତ କରି ଦେଇଛି । ସାଂସଦ ମହମ୍ମଦ ମନନ ରଇସି କହିଛନ୍ତି, ଆମେରିକାର ଆକ୍ରମଣ ପରେ ଫୋର୍ଡୋ ଅଞ୍ଚଳରେ କୌଣସି ରେଡିଏସନ ହୋଇନାହିଁ । କାରଣ, ଉକ୍ତ ପରମାଣୁ ଘାଟି ଉପରେ ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରିଦିଆଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି, କ’ଣ ଆମେରିକାର ଗୁଇନ୍ଦା ସଂସ୍ଥାର ଆକଳନ ଭୁଲ ଥିଲା ? ଇରାନ ଉକ୍ତ ଘାଟିକୁ ଖାଲି କରି ଦେବାର ଟେରି ବି ଆମେରିକୀୟ ଗୁଇନ୍ଦା ସଂସ୍ଥା ପାଇ ପାରିଲାନି କେମିତି ? ଯଦି ଇରାନର ଦାବି ସତ, ତେବେ ଏହା ଆମେରିକାର ଗୁଇନ୍ଦା ସଂସ୍ଥାର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏକ ସ୍ଥାନୀୟ ଇରାନୀ ମିଡିଆ ସହ ଆଲୋଚନା କରିବା ବେଳେ ରଇସି ଆଶ୍ବାସନା ଦେଇ କହିଛନ୍ତି, ଫୋର୍ଡୋ ନ୍ୟୁକ୍ଲିୟର ଫେସିଲିଟି ସେଣ୍ଟରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ମୁତାବକ ଗମ୍ଭୀର କ୍ଷତି ହୋଇନାହିଁ । ଆକ୍ରମଣରେ ପ୍ଲାର୍ଟର ଉପର ଅଂଶ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ଠିକ କରାଯାଇପାରିବ । ସେ ଆଗକୁ କହିଛନ୍ତି, ଆକ୍ରମଣ ପରେ କୌଣସି ପ୍ରକାର ରେଡିଏସନ ହୋଇନାହିଁ । କାରଣ, ଆକ୍ରମଣ ପୂର୍ବରୁ ଏହାକୁ ଖାଲି କରି ଦିଆଯାଇଥିଲା । ଏବେ ଇରାନ ଉପରେ ନିର୍ଭର କରୁଛି, ଟ୍ରମ୍ପଙ୍କ ଏହି ମୂର୍ଖତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ପ୍ରତି ଉତ୍ତର କ’ଣ ଦେବ ।

ଆମେରିକା ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆମେରିକୀୟଙ୍କୁ ପୂର୍ବରୁ ବହୁତ ଅଧିକ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।