ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଚାଲିଗଲା ଏକମାତ୍ର ରୋଜଗାରିଆ ପୁଅ
1 min read
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଛି । ଗତକାଲି ଭୁବେନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସତ୍ୟ ନାୟକ । ସୂଚନା ଅନୁସାରେ ମୃତତ ସତ୍ୟ ନାୟକଙ୍କ ଘର ଆସିକା ରଘୁନାଥ ନଗର ବୋଲି ଜଣାପଡ଼ିଛି । ୩୭ ବର୍ଷୀୟ ସତ୍ୟ ନାୟକ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ।

ରୋଜଗାର ଆଶାରେ ୧୨ ଦିନ ତଳେ ସତ୍ୟ ଧାଇଁ ଆସିଥିଲେ ଭୁବନେଶ୍ୱର । ସୌଭାଗ୍ୟକୁ ସତ୍ୟଙ୍କୁ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ କାମ ମିଳି ଯାଇଥିଲା । ହେଲେ କିଏ ଜାଣିଥିଲା ସତ୍ୟଙ୍କ ପାଇଁ ଏହା ଦୁର୍ଭାଗ୍ୟ ପାଲଟିଯିବ । ଗୋଟିଏ ବୋଲି ପୁଅକୁ ହରାଇବା ପରେ ଭାଙ୍ଗି ପଡ଼ିଛି ପୂରା ପରିବାର । ସାତ ବର୍ଷର ପୁଅ ବାପାକୁ ଝୁରୁଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ମୂକ ପାଲଟି ଯାଇଛି ସତୁରୀ ବର୍ଷୀୟା ମାଆ ।
ସତ୍ୟଙ୍କ ଚାରି ପ୍ରାଣୀର କୁଟୁମ୍ବରେ ଖେଳି ଯାଇଛି ଦୁଃଖର ଛାୟା । ବୁଧବାର ସନ୍ଧ୍ୟାରେ ସତ୍ୟ ଘରକୁ ଯିବାର ଥିଲା । ହେଲେ, ଯିବାର କିଛି ସମୟ ପୂର୍ବରୁ ଘଟିଗଲା ଅଘଟଣ । ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ୩୭ ବର୍ଷୀୟ ସତ୍ୟ । ଶରୀର ଅଧିକାଂଶ ଭାଗ ବିସ୍ଫୋରଣରେ ପୋଡ଼ି ଯାଇଥିବାବେଳେ ଏସସିବିରେ ଚିକିତ୍ସା ଚାଲିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି ।