ଦିଲ୍ଲୀରୁ ଆଜି ପୁଣି ଆରମ୍ଭ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ :  ଦିଲ୍ଲୀ ଯମୁନା ବଜାରସ୍ଥିତ ହନୁମାନ ମନ୍ଦିରରୁ ଆଜି ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରା ଉତ୍ତରପ୍ରଦେଶ ଘାଜିଆବାଦ ଅଭିମୁଖେ ଯିବ । ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ବାହାରିବାକୁ ଥିବା ଏହି ଯାତ୍ରାରେ ଭାଗ ନେବେ ବହୁ ହେଭିଓ୍ବେଟ ଓ ଶହ ଶହ କର୍ମୀ । ଉତ୍ତରପ୍ରଦେଶରେ ୧୨୦ କିଲୋମିଟର ଯାତ୍ରା ପରେ ଏହି ଅଭିଯାନ ଆସନ୍ତା ୫ ତାରିଖରେ ହରିଆଣାର ପାନିପଥରେ ପ୍ରବେଶ କରିବ ।

ଘାଜିଆବାଦ ଅତିକ୍ରମ କରିବା ପରେ ଅଭିଯାତ୍ରୀମାନେ ବାଗପତସ୍ଥିତ ମାବିକାଲାଠାରେ ରାତ୍ରୀଯାପନ କରିବେ । ଯାତ୍ରା ଅବସରରେ ବିଜେପିର କୁଶାସନ ବିରୋଧରେ ଲୋକଙ୍କୁ ସଚେତନ କରାଯିବା ସହ ଦଳକୁ ମଜଭୁତ କରିବା ଲାଗି ଆହ୍ବାନ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ପ୍ରାୟ ଅଢେଇ ହଜାର କର୍ମୀ ସାମିଲ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାର କର୍ମୀ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହେବେ । ଗତ ୨୪ ତାରିଖରେ ଦିଲ୍ଲୀରେ ଭାରତ ଯୋଡୋ ଯାତ୍ରା ପହଞ୍ଚିବା ପରେ କିଛିଦିନ ଲାଗି ଏହାକୁ ସ୍ଥଗିତ ରଖାଯାଇଥିଲା ।

ସେପଟେ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ଲାଗି ରାହୁଲ ଗାନ୍ଧି କରିଥିବା ଅନୁରୋଧକୁ ସ୍ବାଗତ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂ ଯାଦବ । ଭାରତ ଯୋଡୋ ଯାତ୍ରାର ସଫଳତା କାମନା କରିଛନ୍ତି ଅଖିଳେଶ । ଭ୍ରାତୃତ୍ବବୋଧ, ଅହିଂସା, ସହଯୋଗ, ସଂହତିର ବାର୍ତ୍ତା ନେଇ ଚାଲିଥିବା ଯାତ୍ରାକୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଯାତ୍ରା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ ଆଜଭାଇଜରି ଜାରି କରାଯାଇଛି । ମାର୍ଗାରେଟ ଓ୍ବାଲେ ବାବା, ହନୁମାନ ମନ୍ଦିର, ଲୋନି ବର୍ଡର, ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ, ପୁରୁଣା ଜିଟି ରୋଡ, ଫର୍ଣ୍ଣିଟର ମାର୍କେଟ, ଅନସାରୀ ରୋଡ, ମଉଜପୁରୀ, ବାବରପୁର, ଓ୍ବାଜିରାବାଦ ରୋଡ ଆଦି ଇଲାକାରେ ପୋଲିସ ପକ୍ଷରୁ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଇଛି ।